ପାରାଦ୍ୱୀପ ଉପକୂଳରେ ଆରମ୍ଭ ହେଲା ‘ସି ଭିଜିଲ’ ସମରାଭ୍ୟାସ, ସାମିଲ ହୋଇଛନ୍ତି ୧୬ଟି ବିଭାଗ

ପାରାଦ୍ୱୀପ: ପାରାଦ୍ୱୀପ ଉପକୂଳରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’। ଭାରତୀୟ ନୌସେନା, କୋଷ୍ଟଗାର୍ଡ, ସମେତ ୧୮ ଟି ସାମୁଦ୍ରିକ ଥାନାର କର୍ମଚାରୀ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି। ପ୍ରଥମ ଥର ପାଇଁ ଏହା ଇଣ୍ଟନ ନାଭାଲ କମାଣ୍ଡ ବିଶାଖାପଟନମ ଓ ନାଭାଲ ଅଫିସର ଇନଚାର୍ଜ ଓଡ଼ିଶା ପକ୍ଷରୁ ମିଳିତ ଭାବେ ଆୟୋଜିତ ହେଉଛି। ଗତ ନଭେମ୍ବର ୫ ଓ ୬ ତାରିଖରେ ଦୁଇଦିନ ଧରି ସାଗର କବଚ ଅନୁଷ୍ଠିତ ହେବାର ଦୁଇମାସ ପରେ ପୁଣି ଏକ ସମରାଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରଠାରୁ ସମୁଦ୍ର ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହିତ ହଠାତ କୌଣସି ବାହ୍ୟ ଶତୃଙ୍କୁ ମୁକାବିଲା କରିବା ପାଇଁ ସବୁ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଏହି ସମରାଭ୍ୟାସ କରାଯାଉଛି। ଏହି ସମରାଭ୍ୟାସରେ ଭାରତୀୟ ତଟରକ୍ଷୀ ବାହିନୀ, ନୌସେନା, ପାରାଦ୍ୱୀପ ବନ୍ଦର, ସିଆଇଏସଫ, ଓଡ଼ିଶା ପୋଲିସ, ମେରାଇନ୍ ପୋଲିସ୍, ଇଣ୍ଟେଲିଜେନ୍ସ, ଅଗ୍ନିଶମ, ମତ୍ସ୍ୟ ବିଭାଗ, ବନ ବିଭାଗ ଭଳି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରାୟ ୧୬ଟି ବିଭାଗ ଏଥିରେ ସାମିଲ ହୋଇଛନ୍ତି ।

ରେଡ ଟିମ ଓ ବ୍ଲୁ ଟିମ ଗଠନ କରାଯାଇ ଆତଙ୍କବାଦୀ ବେଶରେ ଗୋଟିଏ ଟିମ୍ ସ୍ଥଳଭାଗରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିବେ ଏବଂ ଅନ୍ୟ ଟିମ ଏମାନଙ୍କୁ ଧରିବା ପାଇଁ ପ୍ରୟାସ କରିବେ। ଦୁଇଦିନ ଧରି ଏହି ସମରାଭ୍ୟାସ କାର୍ଯ୍ୟକ୍ରମ ଚାଲିବ।

Leave a Reply