୧୨ ସମୁଦ୍ର କୂଳିଆ ସହର ପାଇଁ ମାଡ଼ି ଆସୁଛି ବଡ଼ ବିପଦ

1 min read

ଭୁବନେଶ୍ୱର: ବିଶ୍ୱ ପାଇଁ ବିପଦ ଆଣୁଛି ତାପମାତ୍ରା ବୃଦ୍ଧି । ଦିନକୁ ଦିନ ତାପମାତ୍ରା ବଢ଼ିବା ସହ ବରଫ ତରଳିବାରେ ଲାଗିଛି । ଆଉ ୭୯ ବର୍ଷ ପରେ… ଅର୍ଥାତ୍ ୨୧ ଶହ ମସିହା ବେଳକୁ ପାରାଦୀପ ସହ ଭାରତର ୧୨ ସମୁଦ୍ର କୂଳିଆ ସହର ୩ ଫୁଟ ପାଣି ଭିତରେ ଜଳ ସମାଧି ନେବେ । ବିଶ୍ୱ ତାପନ ବୃଦ୍ଧି ସହ ଉତ୍ତର ଓ ଦକ୍ଷିଣ ମେରୁରେ ଜମାଥିବା ବରଫ ତରଳିବା ଯୋଗୁଁ ସମୁଦ୍ରର ଜଳସ୍ତର ବଢ଼ିବ । ଆଉ ଆସିବ ଜଳ ପ୍ରଳୟ । ଏଭଳି ଚେତାବନୀ ଦେଇଛି ନାସା । ଏହି ଚେତାବନୀକୁ ଗମ୍ଭୀରତାର ସହିତ ନେବାକୁ ପଡିବ, କାରଣ ଆମ ପାଖରେ ସାତଭାୟାର ଉଦାହରଣ ଅଛି । ସମୁଦ୍ର ଆଁରେ କେମିତି ମାଟି ମିଳେଇ ଯାଏ ସାତଭାୟାଠାରୁ ତା’ର ବଡ଼ ଉଦାହରଣ ଆଉ କିଛି ନାହିଁ । ହୁଏତ ଆପଣଙ୍କୁ ଏହା ମିଛ, ମନଗଢା କାହାଣୀ ଭଳି ଲାଗି ପାରେ କିନ୍ତୁ ଏହା ହେଉଛି ଭବିଷ୍ୟତର ସତ…

 Sea Level Rise Danger To 12 Indian Cities Including Paradeep

ଆମେରିକା ଅନ୍ତରୀକ୍ଷ ଅନୁସନ୍ଧାନକାରୀ ସଂସ୍ଥା ନାସାର ସି ଲିଭେଲ ପ୍ରୋଜେକ୍ସନ୍ ଟୁଲକୁ ଆଧାର କରି ଜଳ ପ୍ରଳୟର ଚେତାବନୀ ଦେଇଛି ଇଣ୍ଟରଗର୍ଭମେଣ୍ଟାଲ ପ୍ୟାନେଲ୍ ଅନ୍ କ୍ଲାଇମେଟ୍ ଚେଞ୍ଜ । IPCCର ରିପୋର୍ଟ ଅନୁସାରେ, ୨୧ ଶହ ମସିହା ବେଳକୁ ଅସହ୍ୟ ଗରମ ହେବ, ଅଙ୍ଗରକାମ୍ଲ ଗ୍ୟାସ୍ ଓ ପ୍ରଦୂଷଣକୁ ନ ରୋକିଲେ ତାପମାତ୍ରା ପାଖାପାଖି ୪.୪ ଡିଗ୍ରୀ ବଢ଼ିଯିବ । ଆଗାମୀ ୧୦ ବର୍ଷ ମଧ୍ୟରେ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ । ଏତେ ମାତ୍ରାରେ ତାପମାତ୍ରା ବଢ଼ିବା ଦ୍ୱାରା ଗ୍ଲେସିୟର୍ ତରଳିବ । ଆଉ ସେହି ପାଣି ସମତଳ ଓ ସମୁଦ୍ର ଅଞ୍ଚଳରେ ଆଣିବ ବନ୍ୟା ।

 Sea Level Rise Danger To 12 Indian Cities Including Paradeep

୨୧୦୦ ମସିହା ବେଳକୁ ଭାରତର ୧୨ ସହରରେ ସମୁଦ୍ର ଜଳ ପ୍ରାୟ ଅଧା ଫୁଟରୁ ନେଇ ୩ ଫୁଟ୍ ଯାଏଁ ବଢ଼ିଯିବ । ଯେତେ ଗରମ ହେବ, ସେତେ ଅଧିକ ସମୁଦ୍ରର ଜଳସ୍ତର ବଢ଼ିବ । ଆକଳନ ଅନୁସାରେ ପାରାଦୀପ ସମୁଦ୍ରର ଜଳସ୍ତର ୧.୯୩ ଫୁଟ୍ ବୃଦ୍ଧି ପାଇବ । ଭାରତର ଭାବନଗରରେ ସମୁଦ୍ର ଜଳସ୍ତର ୨.୬୯ ଫୁଟ୍ ବଢ଼ିବ । କୋଚ୍ଚିରେ ସମୁଦ୍ର ଜଳସ୍ତର ୨.୩୨ ଫୁଟ୍, ଓଖାରେ ୧.୯୬ ଫୁଟ୍, ମୁମ୍ବାଇରେ ୧.୯୦ ଫୁଟ୍, ମାଙ୍ଗାଲୋରରେ ୧.୮୭ ଫୁଟ, ଚେନ୍ନାଇରେ ୧.୮୭ ଫୁଟ୍, ଓ ବିଶାଖାପାଟ୍ଟଣମରେ ୧.୭୭ ଫୁଟ୍ ବୃଦ୍ଧି ପାଇବ ।

 Sea Level Rise Danger To 12 Indian Cities Including Paradeep

ସମୁଦ୍ର କୂଳିଆ ଅଞ୍ଚଳରେ ବନ୍ଦର ରହିଥିବାରୁ ଜଳସ୍ତର ବଢ଼ିବା ଚିନ୍ତାର କାରଣ । ଏହା ବ୍ୟବସାୟର କେନ୍ଦ୍ର ହୋଇଥିବା ବେଳେ ମାଛ ଓ ତୈଳ କାରବାର ହୁଏ । ସମୁଦ୍ରର ଜଳସ୍ତର ବଢ଼ିବା ଦ୍ୱାରା ଆର୍ଥିକ କ୍ଷତି ହେବ । ଆଗାମୀ ୧୦ ବର୍ଷ ମଧ୍ୟରେ ବନ୍ଦରନଗରୀ ପାରାଦୀପରେ ସମୁଦ୍ର ଜଳସ୍ତର ୨.୭୫ ଇଞ୍ଚ ବଢ଼ିଯିବ ବୋଲି ଆକଳନ କରାଯାଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଗାମୀ ୨ ଦଶନ୍ଧି ମଧ୍ୟରେ ବିଶ୍ୱର ତାପମାତ୍ରା ନିଶ୍ଚିତ ଭାବେ ୧.୫ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି- ୫୦ ବର୍ଷରେ ଥରେ ହେଉଥିବା ଭୀଷଣ ଗରମ ଏବେ ପ୍ରତି ୧୦ ବର୍ଷରେ ହେବ ।

IPCCର ରିସର୍ଚ୍ଚ ରିପୋର୍ଟ ଅନୁସାରେ, ବିଗତ ୪୦ ବର୍ଷରେ ଗରମ ଯେତିକି ବଢ଼ିଛି, ସେତିକି ଗରମ ୧୮୫୦ ପରେ ୪ ଦଶନ୍ଧି ମଧ୍ୟରେ ବଢ଼ି ନଥିଲା । ବୈଜ୍ଞାନିକ ଆହୁର ଚେତାବନୀ ଦେଇ କହିଛନ୍ତି- ଯଦି ଆମେ ପ୍ରଦୂଷଣ ନିୟନ୍ତ୍ରଣ ନ କରିବା ତ ଭୀଷଣ ଗରମ ସହ ଅନିୟନ୍ତ୍ରିତ ଜଳବାୟୁର ସାମ୍ନା କରିବାକୁ ପଡ଼ିବ । ଜଳବାୟୁ ପରିବର୍ତ୍ତନ ଭବିଷ୍ୟତର ସମସ୍ୟା ନୁହେଁ, ଏହା ଏବେର ବୋଲି କହିଛନ୍ତି ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକ । ଏହା ପୂରା ଦୁନିଆ ଉପରେ ପ୍ରଭାବ ପକାଉଛି । ଏମିତି ଜଳବାୟୁ ପରିବର୍ତ୍ତନ ହେଲେ ଭବିଷ୍ୟତରେ ସ୍ଥିତି ଆହୁରି ଭୟାନକ ହେବ ।

 Sea Level Rise Danger To 12 Indian Cities Including Paradeep

ତାପମାତ୍ରା ଲଗାତାର ବଢ଼ୁଥିବା ବେଳେ କାଲିଫର୍ଣ୍ଣିଆ, ଅଷ୍ଟ୍ରେଲିଆ ଓ ତୁର୍କୀର ଜଙ୍ଗଲରେ ନିଆଁ ଲାଗିବା ଭଳି ଘଟଣା କମୁ ନାହିଁ । ଏଭଳି ନିଆଁ ଲାଗିଲେ ସମ୍ଭାଳିବା ସମ୍ଭବ ହେବନାହିଁ । ଯଦି ବରଫ ସରିଯିବ ଓ ଜଙ୍ଗଲ ଜଳିଯିବ ତ ପାଣି ଓ ପବନର ଅଭାବ ଦେଖା ଦେବ । ଉତ୍ତର ଓ ଦକ୍ଷିଣ ମେରୁର ବରଫ ତରଳିରେ ସମୁଦ୍ରର ଜଳସ୍ତର ବଢ଼ିବ । ସମୁଦ୍ର ଜଳସ୍ତରର କିଛି ଇଞ୍ଚ ଉପରେ ଥିବା କେତେକ ଦେଶ ବୁଡ଼ିଯିବେ । ଆଉ ଜଙ୍ଗଲ ନିଆଁ ଫଳରେ ଲୋକଙ୍କ ବଞ୍ଚିବା ମୁସ୍କିଲ୍ ହୋଇଯିବ ।

ଏଥିସହ ପଢ଼ନ୍ତୁ: ବିପଦ ଆଣିବ ତାପମାତ୍ରା ବୃଦ୍ଧି, ୨ ଡିଗ୍ରୀ ବଢ଼ିବ ପାରଦ

Leave a Reply