ବିଜୟ ହଜାରେ ଟ୍ରଫି; ମହାରାଷ୍ଟ୍ରକୁ ହରାଇ ସୌରାଷ୍ଟ୍ର ଦ୍ୱିତୀୟ ଥର ପାଇଁ ଚମ୍ପିଆନ

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିର ଫାଇନାଲ୍ ମ୍ୟାଚରେ ମହାରାଷ୍ଟ୍ରକୁ ହରାଇ ସୌରାଷ୍ଟ୍ର ଚମ୍ପିଆନ ହୋଇଛି । ଦ୍ୱିତୀୟ ଥର ପାଇଁ ସୌରାଷ୍ଟ୍ର ଟ୍ରଫି ଜିତିଛି । ସୌରାଷ୍ଟ୍ର ଟିମ୍ ୧୪ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଏହି ସଫଳତା ହାସଲ କରିଛି । ୨୦୦୮ ମସିହାରେ ଦଳ ଚମ୍ପିଆନ ହୋଇଥିଲା । ମହାରାଷ୍ଟ୍ରର ଅଧିନାୟକ ଋତୁରାଜ ଗାୟକ୍ୱାଡଙ୍କ ଉପରେ ସୌରାଷ୍ଟ୍ରର ଶେଲ୍ଡନ ଜ୍ୟାକ୍ସନଙ୍କ ଇନିଂସ ଭାରି ପଡ଼ିଛି । ସୌରାଷ୍ଟ୍ର ୫ ୱିକେଟରେ ମ୍ୟାଚ ଓ ଟାଇଟଲ୍ ନିଜ ନାଁରେ କରିଛି ।

ସୌରାଷ୍ଟ୍ରର ଅଧିନାୟକ ଜୟଦେବ ଉନାଦକଟ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ମହାରାଷ୍ଟ୍ର ୫୦ ଓଭରରେ ୯ ୱିକେଟ୍ ହରାଇ ୨୪୮ ରନ୍ କରିଥିଲେ । ଋତୁରାଜ ୧୦୮ ରନର ଇନିଂସ ଖେଳିଥିଲେ । ଜବାବରେ ସୌରାଷ୍ଟ୍ର ୪୬.୩ ଓଭରରେ ପାଞ୍ଚ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଛି । ଶେଲ୍ଡନ ୧୩୬ ବଲରେ ୧୩୩ ରନ କରି ଅପରାଜିତ ରହିଥିଲେ । ମହାରାଷ୍ଟ୍ରର ନଜର ପ୍ରଥମଥର ଚମ୍ପିଆନ ହେବା ଉପରେ ଥିଲା ।

ଟିମ୍ ପ୍ରଥମଥର ଫାଇନାଲ ଖେଳୁଥିଲା । ସେହିପରି ସୌରାଷ୍ଟ୍ର ଦ୍ୱିତୀୟଥର ପାଇଁ ୫୦ ଓଭରର ଏହି ଟୁର୍ଣ୍ଣାମେଣ୍ଟକୁ ନିଜ ନାଁରେ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲା । ସୌରାଷ୍ଟ୍ର ଟିମ ଫାଇନାଲରେ ମହାରାଷ୍ଟ୍ର ଉପରେ ଚାପ ପକାଇବା ପାଇଁ ସଫଳ ରହିଥିଲା ଏବଂ ଦ୍ୱିତୀୟଥର ଚମ୍ପିଆନ ହୋଇଛି । ଋତୁରାଜଙ୍କ ଶତକୀୟ ଇନିଂସ ଉପରେ ଶେଲ୍ଡନ ଜ୍ୟାକ୍ସନ ପାଣି ପକାଇ ଦେଇଥିଲେ । ଟୁର୍ଣ୍ଣାମେଣ୍ଟରେ ସୌରାଷ୍ଟ୍ରର ଦ୍ରୁତ ବୋଲରଙ୍କ ଦବଦବା ରହିଥିଲା । ସେହିପରି ମହାରାଷ୍ଟ୍ରର ବ୍ୟାଟ୍ସମ୍ୟାନମାନେ ଚମତ୍କର ପ୍ରଦର୍ଶନ କରିଥିଲେ ।