ସୌରଭ ଭରଦ୍ବାଜ ଓ ଆତିଶି ହେବେ ଦିଲ୍ଲୀର ନୂଆ ମନ୍ତ୍ରୀ

ନୂଆଦିଲ୍ଲୀ: ସୌରଭ ଭରଦ୍ବାଜ ଓ ଆତିଶି ହେବେ ଦିଲ୍ଲୀର ନୂଆ ମନ୍ତ୍ରୀ । ଏହି ଦୁଇ ଜଣଙ୍କ ନାମଙ୍କୁ ଏଲଜି ଭି.କେ. ସକ୍ସେନାଙ୍କ ନିକଟରେ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ବଦଳରେ କାହାକୁ ମନ୍ତ୍ରୀ କରାଯିବ ନେଇ ଚାଲିଥିଲା କଳ୍ପନାଜଳ୍ପନା । ଆଇନ ଅର୍ଥ କାରବାର ମାମଲାରେ ସତ୍ୟେନ୍ଦ୍ର ଜୈନ ଓ ମଦ ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଇସ୍ତଫା ପରେ ୧୯ଟି ବିଭାଗର ପରିଚାଳନା ନେଇ ସଙ୍କଟ ସୃଷ୍ଟି ହୋଇଥିଲା । ସତ୍ୟେନ୍ଦ୍ର ଜୈନ ସ୍ବାସ୍ଥ୍ୟମନ୍ତ୍ରୀ ଥିବାବେଳେ ଶିକ୍ଷା ସମେତ ୧୮ଟି ବିଭାଗର ଦାୟିତ୍ବରେ ଥିଲେ ସିସୋଦିଆ । ଦିଲ୍ଲୀ ସରକାରଙ୍କ ନମ୍ବର ୨ ମନ୍ତ୍ରୀ ସିସୋଦିଆ ଗିରଫ ହେବା ପରେ ବରୁ ବିଭାଗର ପରିଚାଳନାରେ ସମସ୍ୟା ସୃଷ୍ଟି ହୋଇଥିଲା ।

ଦିଲ୍ଲୀରେ ସରକାରୀ ସ୍କୁଲଗୁଡିକରେ ବୈପ୍ଳବିକ ପରିବର୍ତ୍ତନ ଆଣି ବେଶ୍ ଚର୍ଚ୍ଚାରେ ଥିଲେ ସିସୋଦିଆ । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ୧୦ ପ୍ରତିଶତ ଅର୍ଥାତ ସର୍ବାଧିକ ୭ଟି ମନ୍ତ୍ରୀ ପଦ ରହିପାରିବ । ବର୍ତ୍ତମାନ ମନ୍ତ୍ରୀ ଅଛନ୍ତି ଗୋପାଳ ରୟ, ଇମ୍ରାନ ହୁସେନ, ରାଜ କୁମାର ଆନନ୍ଦ ଓ କୈଳାସ ଗେହଲଟ । ସେପଟେ ବିଜେପିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ୍‌ । ଏଭଳି ଗିରଫଦାରି ଦିଲ୍ଲୀର ବିକାଶରେ କେବେବି ବାଧା ଦେଇପାରିବ ନାହିଁ ବୋଲି ସେ କହିଛନ୍ତି । ମନିଷ ସିସୋଦିଆ ବିଜେପିରେ ମିଶିଲେ ତାଙ୍କ ବିରୋଧରେ ଲାଗିଥିବା ସବୁ ଦଫା ହଟାଇଦିଆଯିବ ବୋଲି କେଜରିଓ୍ବାଲ କଟାକ୍ଷ କରିଛନ୍ତି । ତାଙ୍କର ସବୁ ଦୋଷ କ୍ଷମା କରିଦିଆଯିବ ।