ପୁଣି ଇସାରାରେ ବିଜେପିକୁ ଟାର୍ଗେଟ କଲେ ସତ୍ୟପାଲ ମଲିକ: କହିଲେ ଚୁପ ରହିଥିଲେ ଉପରାଷ୍ଟ୍ରପତି କରିଥାନ୍ତେ

ଜୟପୁର: ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ ପୁଣିଥରେ ନିଜ ବୟାନ ପାଇଁ ଚର୍ଚ୍ଚାରେ ରହିଛନ୍ତି । ନିଜ ଦଳ ବିଜେପିକୁ ନେଇ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏଥର ସେ କହିଛନ୍ତି ଯେ ମୋତେ ମଧ୍ୟ ଇସାରା ଥିଲା ଯେ ଯଦି ଚୁପ ହୋଇଯାଏ ତେବେ ଉପରାଷ୍ଟ୍ରପତି କରିଦେବେ । କିନ୍ତୁ ମୁଁ ସ୍ପଷ୍ଟ ଭାବେ କହିଥିଲି ଯେ, ଏପରି କରିପାରିବି ନାହିଁ । ବିଜେପିରେ ଅନେକ ଲୋକ ଏପରି ଅଛନ୍ତି, ଯାହାଙ୍କ ଉପରେ ଇଡି, ସିବିଆଇ, ଆଇଟିର ରେଡ୍ ପଡ଼ିପାରେ । ସତ୍ୟପାଲ କହିଛନ୍ତି, ସରକାରଙ୍କୁ ଏହି ବିଜେପି ବାଲାଙ୍କ ଉପରେ ମଧ୍ୟ ରେଡ୍ କରିଦେବା ଆବଶ୍ୟକ ।

ରବିବାର ସତ୍ୟପାଲ ମଲିକ ରାଜସ୍ଥାନ ଗସ୍ତରେ ଯାଇଥିଲେ । ଝୁନଝୁନୁ ଜିଲ୍ଲାରେ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ସାମ୍ବାଦିକଙ୍କ ସହ ଆଲୋଚନା କରିଥିଲେ । ଗଣମାଧ୍ୟମକୁ ସେ ଏହି ଅବସରରେ କହିଥିଲେ, ଜଗଦୀପ ଧନଖଡ଼ ଏହି ପଦ ପାଇଁ ସବୁଠୁ ଯୋଗ୍ୟ ବ୍ୟକ୍ତି, ହେଲେ ମୋତେ ମଧ୍ୟ ଇସାରା କରାଯାଇଥିଲା ଯେ ଯଦି ମୁଁ ସତ କହିବା ବନ୍ଦ କରିଦେବି ତେବେ ମୋତେ ରାଷ୍ଟ୍ରପତି କରିବେ । କିନ୍ତୁ ମୁଁ କହିଥିଲି ଯେ ଏପରି କରିପାରିବି ନାହିଁ । ଆଗକୁ କହିଥିଲେ ଯେ, ଯାହା ଅନୁଭବ କରେ ତାହା କହିଥାଏ । ସେଥିପାଇଁ ମୋତେ ଯାହା କିଛି ବି ଛାଡିବାକୁ ପଡୁ ନା କାହିଁକି ।