ଭାରତରୁ ଜାପାନ ସବୁଠି ହୁଏ ଦେବୀ ସରସ୍ୱତୀଙ୍କ ଉପାସନା

1 min read
Saraswati Puja

ସରସ୍ୱତୀ । ଶିକ୍ଷା ଓ କଳାର ଦେବୀ । ଦେବୀ ସରସ୍ୱତୀ କେବଳ ମାତ୍ର ଭାରତୀୟ ଧର୍ମ ବିଶ୍ୱାସର ସର୍ବପୂରାତନ ଦେବୀ ନୁହନ୍ତି ,ତାଙ୍କ ଉପାସନା ଭାରତୀୟ ଉପମହାଦେଶର ଭୌଗଳିକ ସୀମା ବାହାରେ ମଧ୍ୟ ଥିଲା ଓ ଅଛି । ପ୍ରଥମ କରି ଆମେ ଋଗବେଦରେ ସରସ୍ୱତୀଙ୍କ ବାବଦରେ ଉଲ୍ଲେଖ ପାଉ । ଋଗବେଦରେ ସରସ୍ୱତୀଙ୍କୁ ଦେବୀ ଓ ନଦୀ ଭାବେ ବର୍ଣ୍ଣନା କରାଯାଇଛି । ଯେଉଁଥିରେ ତାଙ୍କୁ ସର୍ବୋତ୍ତମ ମାତା,ସର୍ବୋତ୍ତମ ନଦୀ ଓ ସର୍ବୋତ୍ତମ ଦେବୀ ଭାବେ ବର୍ଣ୍ଣନା କରାଯାଏ । ସରସ୍ୱତୀ ଶବ୍ଦର ଉତ୍ପତି ଦୁଇଟି ସଂସ୍କୃତ ଶବ୍ଦର ମିଳନରୁ ହୁଏ । ସର ଓ ସ୍ୱତୀ । ସରର ଅର୍ଥ ହେଉଛି ସାର ଓ ‘ସ୍ୱ’ ମାନେ ନିଜେ । ଦୁଇ ଶବ୍ଦର ମିଳନର ଅର୍ଥ ହେଉଛି ନିଜର ସାର । କିଛି ମଧ୍ୟ ସରସ୍ୱତୀ ଶବ୍ଦର ଉତ୍ପତିକୁ ଆଉ ଏକ ସଂସ୍କୃତ ଶବ୍ଦ ‘ସୁରସଭତି’ସହ ଯୋଡି ଦେଖନ୍ତି । ‘ସୁରସଭତି’ର ଅର୍ଥ ହେଉଛି ସିଏ ଯାହାଙ୍କ ପାଖରେ ରହିଛି ପ୍ରଚୁର ମାତ୍ରାରେ ଜଳ । ଏମିତିରେ ଭୁଲିଯିବାର କଥା ନୁହେଁ ଯେ, ପୁରାଣରେ ସରସ୍ୱତୀ ନାମକ ନଦୀଙ୍କ କଥାର ଉଲ୍ଲେଖ ରହିଛି, ଯାହା ଏବେ ଲୁପ୍ତ ।

ଦେବୀ ସରସ୍ୱତୀଙ୍କ ପ୍ରାଚୀନ ଉତ୍ପତିକୁ ଦୃଷ୍ଟିରେ ରଖି କିଛି ଆର୍ଯ୍ୟଙ୍କ ସରସ୍ୱତୀ ଓ ଜୋରାଷ୍ଟ୍ରିଅନଙ୍କ ଦେବୀ ଆନାହିତାଙ୍କ ମଧ୍ୟରେ ତୁଳନା କରନ୍ତି । ପ୍ରାଚୀନ ବୈଦିକ ଯୁଗରୁ ମଧ୍ୟଯୁଗ ଓ ବର୍ତ୍ତମାନର ଆଧୁନିକ କାଳରେ ମଧ୍ୟ ଦେବୀ ସରସ୍ୱତୀଙ୍କ ପୂଜା ଜାରି ରହିଛି । କଳା,ଜ୍ଞାନର ଦେବୀଙ୍କ ଉପାସନା ପ୍ରାଚୀନ କାଳରେ ଭାରତୀୟ ସୀମା ଓ ବିଶ୍ୱାସକୁ ପାର କରିପାରିଥିଲା । ପ୍ରାଚୀନ ପାରସ୍ୟ ବା ଇରାନଠାରୁ ମିଆଁମାର (ବ୍ରହ୍ମଦେଶ ବା ବର୍ମା)ରେ ତାଙ୍କ ଉପାସନା ହେଉଥିଲା ।

anahita
ଜୋରାଷ୍ଟ୍ରିଅନଙ୍କ ଦେବୀ ଆନାହିତା

ଭାରତରେ ସରସ୍ୱତୀଙ୍କର ଅନେକ ନାମ ରହିଛି । ସେ ବ୍ରାହ୍ମଣୀଠରୁ ବାଣୀ ଓ ବର୍ଣ୍ଣେଶ୍ୱରି ଭାବେ ପରିଚିତ । ଦକ୍ଷୀଣ ପୂର୍ବ ଏସିଆରେ ମଧ୍ୟ ସରସ୍ୱତୀଙ୍କ ଉପାସନା ନେଇ ସୂଚନା ରହିଛି ।ମିଆଁମାରର (Shwezigon Mon ) ସ୍ୱେଜିଗନ୍ ମୋନ୍ ଶିଳାଲେଖ(୧୦୮୪ ମସିହା)ରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ଭାବେ ବର୍ଣ୍ଣନା କରାଯାଇଛି ।  ମିଆଁମାରେ ଆଜି ମଧ୍ୟ ବିଦ୍ୟାର୍ଥୀ ପରୀକ୍ଷା ପୂର୍ବରୁ ସରସ୍ୱତୀଙ୍କ ପୂଜା କରିଥାନ୍ତି ।  ତାଙ୍କୁ ମଧ୍ୟ ମିଆଁମାରରେ ବୌଦ୍ଧ ପୋଥିର ରକ୍ଷକ ଭାବେ ଦେଖାଯାଏ ।

ଜାପାନରେ ସରସ୍ୱତୀଙ୍କୁ ବେନଞ୍ଜାଇଟେନ୍ ଭାବେ ଉପାସନା କରାଯାଏ । ଷଷ୍ଠ ଓ ସପ୍ତମ ଶତାବ୍ଦୀରେ ଜାପାନରେ ବେନଞ୍ଜାଇଟେନ୍ ଦେବୀଙ୍କ ଉପାସନା ଆରମ୍ଭ ହୋଇଥିଲା ବୋଲି କୁହାଯାଏ । ଜାପାନରେ ତାଙ୍କ ପାଇଁ ଅନେକ ମନ୍ଦିର ସମର୍ପିତ ହୋଇଛି ।

ଜାପାନରେ ସରସ୍ୱତୀଙ୍କୁ ବେନଞ୍ଜାଇଟେନ୍ ଭାବେ ଉପାସନା କରାଯାଏ

କମ୍ବୋଡିଆ ସାହିତ୍ୟ ଓ ପୁରାଣରେ ସରସ୍ୱତୀଙ୍କ ଉଲ୍ଲେଖ ରହିଛି । ପ୍ରଥମ ଥର କରି ସପ୍ତମ ଶତାବ୍ଦୀରେ କମ୍ବୋଡିଆରେ ସରସ୍ୱତୀଙ୍କ ବାବଦରେ ଉଲ୍ଲେଖ ଦେଖିବାକୁ ମିଳେ । କମ୍ବୋଡିଆରେ ସରସ୍ୱତୀ ‘ଭାରତୀ’ ଓ ଭାଗିସଭରି ଭାବେ ପରିଚିତ । ଥାଇଲାଣ୍ଡର ପ୍ରାଚୀନ ସାହିତ୍ୟରେ ସରସ୍ୱତୀ ଭାଷା ଓ ଜ୍ଞାନର ଦେବୀ ଭାବେ ପରିଚିତ । ସମୟକ୍ରମେ ହିନ୍ଦୁ ଦେବାଦେବୀ ଥାଇଲାଣ୍ଡର ବୌଦ୍ଧ ସଂସ୍କୃତିର ଅଙ୍ଗ ହୋଇଯାଇଛନ୍ତି ।

ଇଣ୍ଡୋନେସିଆରେ ସରସ୍ୱତୀ ପୂଜା

ଇଣ୍ଡୋନେସିଆରେ ମଧ୍ୟ ଦେବୀ ସରସ୍ୱତୀଙ୍କ ଉପାସନା ହୋଇଥାଏ । ଇଣ୍ଡୋନେସିଆର ବାଲି ହିନ୍ଦୁ ସଂସ୍କୃତିରେ ଦେବୀ ସରସ୍ୱତୀଙ୍କ ସ୍ଥାନ ସେଇଆ ଯାହା ଭାରତୀୟ ଧର୍ମିୟ ବିଶ୍ୱାସରେ । ଏମିତି କହିବାକୁ ଗଲେ ଦେବୀ ସରସ୍ୱତୀ ବୈଦିକ କାଳରୁ ଆଜି ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ରୂପରେ ଜ୍ଞାନର ଦେବୀ ଭାବେ ବିଭିନ୍ନ ଦେଶରେ ପୂଜନୀୟ ହୋଇ ରହିଛନ୍ତି ।

Leave a Reply