ଜହ୍ନ, ତାରାରେ ସୁଶାନ୍ତ ସିଂ ରାଜପୁତଙ୍କୁ ଖୋଜୁଛନ୍ତି ସାରା ଅଲ୍ଲୀ ଖାନ୍

1 min read

ମୁମ୍ବାଇ: ୧୪ ଜୁନ । ଆଜି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକକୁ ଦୁଇ ବର୍ଷ ପୂରିଛି । ଆଜି ଦ୍ବିତୀୟ ଶ୍ରାଦ୍ଧ ଦିବସରେ ତାଙ୍କୁ ମନେ ପକାଇ ଝୁରୁଛନ୍ତି ଫ୍ୟାନ୍ । ଚାହୁଁ ଚାହୁଁ ଦୁଇବର୍ଷ ବିତି ଯାଇଥିଲେ ବି ସୁଶାନ୍ତଙ୍କୁ ଭୁଲି ପାରୁନାହାନ୍ତି ତାଙ୍କ ଫ୍ୟାନ୍ । ଜହ୍ନ ଓ ତାରର କଥା କହୁଥିବା ସୁଶାନ୍ତଙ୍କୁ ଏବେ ତାଙ୍କ ପ୍ରଶଂସକ ଆକାଶକୁ ଚାହିଁ ଖୋଜୁଛନ୍ତି । କେବଳ ପ୍ରଶଂସକ ନୁହଁନ୍ତି, ବି-ଟାଉନର ସେଲିବ୍ରିଟି ବି ସୁଶାନ୍ତଙ୍କ ସହ ବିତାଇ ଥିବା ସେହି ସୁନେଲୀ ସମୟକୁ ଭୁଲି ପାରୁନାହାନ୍ତି । ଏମିତି ଜଣେ ସେଲିବ୍ରିଟି ହେଉଛନ୍ତି ସାରା ଆଲ୍ଲୀ ଖାନ୍ । ସୁଶାନ୍ତଙ୍କ ସହ ପ୍ରଥମ ଫିଲ୍ମ ‘କେଦାରନାଥ’ କରିଥିବା ସାରା ତାଙ୍କ ପାଖରୁ ଶିଖିଥିବା ଅଭିନୟକୁ ଆଜି ମନେ ପକାଉଛନ୍ତି ।

ସାରା ନିଜ ଇଷ୍ଟାଗ୍ରାମ ପେଜରେ ସୁଶାନ୍ତ ଓ ତାଙ୍କର ଏକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି । ଏଥିରେ ସେ ସୁଶାନ୍ତକୁ ଧରିକି ବସିଛନ୍ତି ଓ ଉଭୟ ହସୁଥିବା ଦେଖିବାକୁ ମିଳୁଛି । ଏହାର କ୍ୟାପସନରେ ସାରା ଲେଖିଛନ୍ତି, ‘ପ୍ରଥମ ଥର କ୍ୟାମେରାକୁ ସମ୍ମୁଖୀନ ହେବା ସହ ଆପଣଙ୍କ ଟେଲିସ୍କୋପରେ ଜହ୍ନ ଓ ବୃହସ୍ପତି ଗ୍ରହକୁ ଦେଖିବା ମୋ ଜୀବନରେ ପ୍ରଥମ ଘଟଣା ଥିଲା । ମୋତେ ସେହି ଖୁସି ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ । ଆଜି ବି ଆକାଶକୁ ଚାହୁଁଛି । ମୁଁ ଜାଣିଛି, ଆପଣ ନିଜ ପସନ୍ଦର ନକ୍ଷେତ୍ରଙ୍କ ମଧ୍ୟରେ ରହି ଚମକୁଛ । ଆଗକୁ ବି ଏମିତି ଚମକୁ ଥିବ ।’

ସୁଶାନ୍ତ ବହୁତ ଶାନ୍ତ ଓ ଲାଜୁଆ ସ୍ବଭାବର ବ୍ୟକ୍ତି ଥିଲେ । ହେଲେ ଯିଏ ଥରେ ତାଙ୍କୁ ଭେଟୁଥିଲା ତାଙ୍କ ଫ୍ୟାନ୍ ପାଲଟି ଯାଉଥିଲା । କେଦାରନାଥ ସୁଟିଂ ବେଳେ ସାରା ସୁଶାନ୍ତଙ୍କ ପାଖରୁ କେବଳ ଅଭିନୟର ଟିପ୍ସ ପାଉନଥିଲେ ସୌରଜଗତ ବିଷୟରେ ବି ବହୁତ କିଛି ଜାଣିବାକୁ ପାଉଥିଲେ । ଆଷ୍ଟ୍ରୋ ଫିଜିକ୍ସ ପ୍ରତି ସୁଶାନ୍ତଙ୍କର ବହୁତ ଦୁର୍ବଳତା ଥିଲା । ଏଥିପାଇଁ ସେ ଏକ ଦାମୀ ଟେଲିସ୍କୋପ କିଣିଥିଲେ । ଯାହାକୁ ସେ ସବୁ ବେଳେ ସାଙ୍ଗରେ ରଖୁଥିଲେ ଓ ସୁଟିଂ ସେଟକୁ ମଧ୍ୟ ନେଇ କି ଯାଉଥିଲେ ।

ସାରା ଆଗକୁ କହିଛନ୍ତି, ‘କେଦାରନାଥ ସୁଟିଂ ବେଳେ ସୁଶାନ୍ତ ଆକାଶ ଓ ଗ୍ରହ, ନକ୍ଷେତ୍ର ସମ୍ପର୍କରେ ସୂଚନା ଦେବା ସହ ନିଜ ଟେଲିସ୍କୋପରେ ସେମାନଙ୍କ ଦର୍ଶନ କରାଉଥିଲେ । ସାଧାରଣତଃ କୌଣସି ଅଭିନେତା ଏମିତି କରିନଥାନ୍ତି । ଏଥିପାଇଁ ସୁଶାନ୍ତ ଖାସ୍ ଥିଲେ ।’