ଆଜି ସପ୍ତପୁରୀ ଅମାବାସ୍ୟା, ମହାପ୍ରଭୁଙ୍କ ନିକଟରେ ଲାଗିହେବ ସପ୍ତପୁରୀ ଭୋଗ

ପୁରୀ: ଆଜି ସପ୍ତପୁରୀ ଅମାବାସ୍ୟା । ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ । ଆଜିର ଦିନରେ ମହାପ୍ରଭୁଙ୍କ ନିକଟରେ ସପ୍ତପୁରୀ ଭୋଗ ଲାଗିହୋଇଥାଏ । ଠାକୁରଙ୍କ ଅବକାଶ ନୀତି ସରିବା ପରେ ବେଶ କରାଯାଇଥାଏ । ଗମ୍ଭିରାରେ ପାଣି ପଡ଼ି ଟେରା ବନ୍ଧାଯିବା ପରେ ସକାଳ ଧୂପ ସହ ସାତପୁରୀ ଭୋଗ ରୋଷଘରୁ ଆସିଥାଏ । ପୂଜାପଣ୍ଡା ଷୋଡଶ ଉପଚାରରେ ପୂଜା କରିଥାନ୍ତି । ସଂଧ୍ୟାଧୂପ ପରେ ବସ୍ତ୍ରହରଣ ପ୍ରସ୍ତାବ ସହ ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀନାରାୟଣ ସାଗର ବିଜେ କରିବେ । ଏହି ଅବସରରେ ଗତକାଲି ଅଠରନଳା ନିକଟ ମାଆ ଆଲାମଚଣ୍ଡୀ ମନ୍ଦିରରୁ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ଼ ଶ୍ରୀମନ୍ଦିରରେ ପହଂଚିଥିଲା । ଶ୍ରୀମନ୍ଦିର ଚତୁର୍ପାଶ୍ୱ ବୁଲି ତାଡ ଗୁଡିକୁ ରୋଷ ବେହେରଣରେ ରଖାଯାଇଥିଲା । ସଂଧ୍ୟା ଧୂପ ସରିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଏକ ପଟୁଆରରେ ଶ୍ରୀମନ୍ଦିର ବାହାରେ ଥିବା ଦକ୍ଷିଣକାଳୀଙ୍କ ମନ୍ଦିରକୁ ଯାଇଥିଲେ ।