ପୂଜା ମଣ୍ଡପ ନିକଟରେ ବିକ୍ରି ହେବନି ଆମିଷ, ଆଖପାଖ ଫାଷ୍ଟଫୁଡ୍ ଦୋକାନ ଉପରେ ଲାଗିବ କଟକଣା

ଭୁବନେଶ୍ବର: ଆସୁଛନ୍ତି ମାଆ ଜଗତଜନନୀ । ସବୁଠି ପାର୍ବଣର ମାହୋଲ । ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଶାନ୍ତି କମିଟି ବୈଠକରେ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବୈଠକରେ ବିଭିନ୍ନ ପୂଜା କମିଟିର ସଦସ୍ୟମାନଙ୍କ ସହ ବିଧାୟକ ଏବଂ ମେୟର ଯୋଗ ଦେଇଥିଲେ । ନବରାତ୍ର ଠାରୁ ଭସାଣି ପର୍ଯ୍ୟନ୍ତ କିଭଳି ପୂଜା ଶୃଙ୍ଖଳିତ ଭାବରେ ଶେଷ ହେବ ସେ ନେଇ ହୋଇଛି ବିସ୍ତୃତ ଆଲୋଚନା ।

ପୂଜା ମଣ୍ଡପ ନିକଟରେ ବିକ୍ରି ହେବନି ଆମିଷ । ଆଖପାଖ ଫାଷ୍ଟଫୁଡ୍ ଦୋକାନ ଉପରେ ଲାଗିବ କଟକଣା । ମୂର୍ତ୍ତିରେ ବ୍ୟବହାର ହେବନି କେମିକାଲ ରଙ୍ଗ । ପ୍ଳାଷ୍ଟର ପ୍ୟାରିସରେ ନିର୍ମାଣ ହେବନି ମୂର୍ତ୍ତି । ପଲିଥିନରେ ଭୋଗ ଆଣିଲେ ପୂଜା କରିବେନି ପୂଜାରୀ । ରାବଣ ପୋଡ଼ିରେ ଫୁଟିବନି ଶଦ୍ଦ ପ୍ରଦୂଷଣ କରୁଥିବା ବାଣ । ଭସାଣରେ ବାଜିବନି ଡିଜେ । ପାରମ୍ପରିକ ବାଦ୍ୟରେ ବିଦାୟନେବେ ମାଆ ।

ଦଶହରା ଏବଂ ଭସାଣି ନେଇ ଭୁବନେଶ୍ବରରେ ବସିଥିବା ଶାନ୍ତି କମିଟି ବୈଠକରେ ଏଭଳି ବଡ ନିଷ୍ପତ୍ତି ନିଆଯାଇଛି । ଏନେଇ ବିଏମସିକୁ କଡା କଟକଣା କରିବା ପାଇଁ ଶାନ୍ତି କମିଟି ଅନୁରୋଧ କରିଛି । ଏସବୁର ତଦାରଖ କରିବା ପାଇଁ ଶାନ୍ତି କମିଟି ପକ୍ଷରୁ ଏକ ଟିମ୍ ଗଠନ କରାଯିବ । ମେଲୋଡି ସମୟରେ କମ୍ ସାଉଣ୍ଡ ବ୍ୟବହାର କରିବା ସହ ମଦ ଉପରେ କଟକଣା ଜାରି କରାଯାଇଛି ।

ପ୍ରତି ପୂଜା ମଣ୍ଡପରେ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି । ମଣ୍ଡପରେ ପର୍ଯ୍ୟାପ୍ତ ପରିମାଣର ପାଣି ରଖିବା ସହ ସ୍ବେଚ୍ଛାସେବୀ ନିଯୁକ୍ତ ରହିବେ । ଚଳିତବର୍ଷ ଭୁବନେଶ୍ବରରେ ପାଖାପାଖି ୧୯୦ ପୂଜାମଣ୍ଡପରେ ପୂଜା ପାଇବେ ମାଆ । ଏହା ପୂର୍ବରୁ ରାସ୍ତା କାମ, ଅବରୋଧ କରିଥିବା ଗଛକୁ କାଟିବା, ଆଲୋକୀକରଣ, ମୋବାଇଲ ଟଇଲେଟ ବ୍ୟବସ୍ଥା ନେଇ ବିଏମସି ପ୍ରତିଶୃତି ଦେଇଛି ।

ଦୁଇଦିନ ମଧ୍ୟରେ ଏସବୁ କାମ ସାରିବା ସହ ଟ୍ରାଫିକ୍ ମ୍ୟାନେଜମେଣ୍ଟ କରିବା ଦିଗରେ କମିଶନରେଟ ପୋଲିସ ସହ ପୂଜା କମିଟି ସଦସ୍ୟମାନେ ସମନ୍ବୟ ରଖି କାମ କରିବାକୁ ମେୟର ପରାମର୍ଶ ଦେଇଛନ୍ତି । ଚଳିତ ବର୍ଷ ଅଷ୍ଟମୀ ଠାରୁ ଭସାଣି ପର୍ଯ୍ୟନ୍ତ ସବୁ ଶାନ୍ତି ଶୃଙ୍ଖଳାର ସହ ସାରିବା ପାଇଁ ଶାନ୍ତି କମିଟି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ବିଶେଷ କରି ଭସାଣି ସମୟରେ ନଦୀରେ ନ ବୁଡି ଅସ୍ଥାୟୀ ପୋଖରୀ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।