spot_img

Latest Posts

ସାନଖେମୁଣ୍ଡିରେ କାହାକୁ ବାଛିବେ ଭୋଟର?

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜମୁଛି ପ୍ରଚାର। ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ। ଆସନ୍ତା ୨୦ ତାରିଖରେ ଏଠାରେ ମତଦାନ କରାଯିବ । ଏଠାକାର ଭୋଟର ବିକାଶକୁ ଫୋକସ କରିଛନ୍ତି । ଚଳିତ ନିର୍ବାଚନରେ ଭୋଟର କାହା ମୁଣ୍ଡରେ ସୁନା କଳସ ଢାଳିବେ, ସେନେଇ ଚାଲିଛି ଜୋରଦାର କଳ୍ପନାଜଳ୍ପନା।

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ୨୬ ପଞ୍ଚାୟତ ଓ ଧରାକୋଟ ବ୍ଲକର ୧୮ଟି ପଞ୍ଚାୟତ, ମୋଟ ୪୪ଟି ପଞ୍ଚାୟତକୁ ନେଇ ସାନଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳି ଗଠିତ । ସାନଖେମୁଣ୍ଡି ନିର୍ବାଚନମଣ୍ଡଳିରେ ସମୁଦାୟ  ୨ ଲକ୍ଷ ୨୭ ହଜାର ୮୬୫ ଜଣ ଭୋଟର ଅଛନ୍ତି। ପୁରୁଷ ଭୋଟର ୧ ଲକ୍ଷ ୧୮ ହଜାର ୬୪୧,  ମହିଳା ଭୋଟର ୧ ଲକ୍ଷ ୯ ହଜାର ୨୦୧  ଏବଂ  ୨୩ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। ଚଳିତ ନିର୍ବାଚନରେ ବିଜେଡିରୁ ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ବିଜେପିରୁ ଉତ୍ତମ କୁମାର ପାଣିଗ୍ରାହୀ ଓ କଂଗ୍ରେସରୁ ରମେଶ ଚନ୍ଦ୍ର ଜେନାଙ୍କୁ ଟିକେଟ୍ ମିଳିଛି। ତିନି ପ୍ରାର୍ଥୀ ଜୋରଦାର ପ୍ରଚାର କରି ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି।

୨୦୧୯ ନିର୍ବାଚନରେ ସାନଖେମୁଣ୍ଡି ନିର୍ବାଚନମଣ୍ଡଳିରେ ଭୋଟିଂ ହାର ୬୮.୩୫% ଥିଲା। ୧ ଲକ୍ଷ ୪୭ ହଜାର ୮୪୫ ଜଣ ଭୋଟ ଦେଇଥିଲେ । କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା ୫୦.୭୫% ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେଡି ପ୍ରାର୍ଥୀ ନନ୍ଦିନୀ ଦେବୀଙ୍କୁ  ୩୪. ୬୯% ହାରରେ  ୫୧ ହଜାର ୨୯୪ ଭୋଟ ଓ ବିଜେପିର ବିଜୟ କୁମାର ସ୍ଵାଇଁଙ୍କୁ  ୧୦.୩୭% ହାରରେ  ୧୫ ହଜାର ୩୩୫ ଭୋଟ ମିଳିଥିଲା। ୨୩ ହଜାର ୭୨୭ ଭୋଟ ବ୍ୟବଧାନରେ କଂଗ୍ରେସରୁ ରମେଶ ଜେନା ବିଜୟୀ ହେଇଥିଲେ। ଗତ ନିର୍ବାଚନଠାରୁ ଚଳିତ ନିର୍ବାଚନରେ ଭୋଟର ସଂଖ୍ୟା ବୃଦ୍ଧି ପାଇଥିବାରୁ ଭୋଟ ହାର ମଧ୍ୟ ବୃଦ୍ଧି ପାଇବ ବୋଲି  ଅନୁମାନ କରାଯାଉଛି । ତେବେ ଲୋକମାନେ ଅଞ୍ଚଳର ବିକାଶ ପାଇଁ ଯୋଗ୍ଯ ପ୍ରାର୍ଥୀଙ୍କୁ ଭୋଟ ଦେବେ ମତ ରଖିଛନ୍ତି l

 

Latest Posts

Don't Miss