ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ହତାଶ ହେଲେ ଅଭିଯୋଗକାରୀ !

ନନ୍ଦିଘୋଷ ବ୍ୟୁରୋ: ପ୍ରହସନ ପାଲଟିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ହତାଶ ହୋଇ ଦୁଃଖରେ ଫେରିଯାଇଛନ୍ତି ଅଭିଯୋଗକାରୀ । ଭୁବନେଶ୍ଵର ଛାଡ଼ି ସମ୍ବଲପୁରରେ ପ୍ରଥମଥର ପାଇଁ ଜନ ଅଭିଯୋଗ ଶୁଣିବାକୁ ଆସିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହିତ ୧୧ ଜଣ ମନ୍ତ୍ରୀ ଓ ୧୩ ଜଣ ସଚିବ ମଧ୍ୟ ଆସିଥିଲେ । ତେଣୁ ଲୋକଙ୍କ ଆଶାଥିଲା ଯେଉଁ ଅଭିଯୋଗ ଭୁବନେଶ୍ୱର ଯାଇ କରିପାରୁନଥିଲେ, ସେମାନେ ଏଠାରେ କରିବେ । କିନ୍ତୁ ଜନ ଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀ କଥା ଶୁଣିଲେନାହିଁ । ଏଠାରେ କାମ ହୋଇପାରିବ ନାହିଁ, ଭୁବନେଶ୍ୱର ଆସନ୍ତୁ ବୋଲି ଅଭିଯୋଗକାରୀଙ୍କୁ କହି ଫେରାଇଦେଲେ ଅଧିକାରୀ । ତେବେ ଭୁବନେଶ୍ୱରରେ ଯଦି ଅଭିଯୋଗ ଶୁଣିବାର ଥିଲା, ତେବେ ସମ୍ବଲପୁରରେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ବୋଲି ପ୍ରଶ୍ନ କରିଛନ୍ତି ଅଭିଯୋଗକାରୀ । ଅନ୍ୟପଟେ ଅନେକ ଅଭିଯୋଗକାରୀ କହିଛନ୍ତି ଯେ ତାଙ୍କର ଅଭିଯୋଗକୁ ଜିଲ୍ଲାପାଳଙ୍କ ନିକଟକୁ ପଠାଇ ଦିଆଯାଉଛି । ସବୁଠାରୁ ବଡ଼ କଥା ହେଲା ଯଦି ସରକାର ଏଭଳି ଲୋକଙ୍କୁ ଭୁଆଁ ବୁଲାଇବେ, ତାହେଲେ ଲୋକେ ବିଶ୍ୱାସ କରିବେ ତ ? ଶେଷରେ ଅଭିଯୋଗର ଶୁଣାଣି ହୋଇପାରିନଥିବାରୁ ହତାଶ ହୋଇ ଘରକୁ ଫେରିଛନ୍ତି ଅନେକ ଅଭିଯୋଗକାରୀ ।