ସୁସ୍ଥ ହେଉଛନ୍ତି ସଲମାନ, ନିଜକୁ ନିର୍ଦ୍ଦୋଷ କହୁଛି ଆକ୍ରମଣକାରୀ

ନ୍ୟୁୟର୍କସିଟି: ଭେଣ୍ଟିଲେଟରରୁ ବାହାରିଲେ ଦି ସାଟାନିକ ଭର୍ସେସର ଲେଖକ ସଲମାନ ରସଦି । ସେ ଏବେ କଥାବାର୍ତ୍ତା କରୁଛନ୍ତି ।  ସଲମାନ ଧୀରେଧୀରେ ସୁସ୍ଥ ହେଉଛନ୍ତି । ରସଦିଙ୍କ ଏଜେଣ୍ଟ ଆଣ୍ଡ୍ରିଉ ଓ୍ବିଲିଙ୍କ ଅନୁସାରେ ରସଦି ଭେଣ୍ଟିଲେଟରରୁ ବାହାରିବା ସହ ସୁସ୍ଥ ଅନୁଭବ କରୁଛନ୍ତି । ନ୍ୟୁୟର୍କର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଷ୍ଟେଜରେ ତାଙ୍କୁ ହାଦି ତମାର ନାମକ ଯୁବକ ବାରମ୍ବାର ଛୁରାମାଡ କରିଥିଲା  । ଗୁରୁତର ଅବସ୍ଥାରେ ସଲମାନଙ୍କୁ ଏୟାରଲିଫ୍ଟ ସାହାଯ୍ୟରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେପଟେ ହାଦି ନିଜକୁ ନିର୍ଦ୍ଦୋଷ କହିଛି। ହତ୍ୟା ଯୋଜନା କରାଯାଇଥିବା ନେଇ ଯେଉଁ ଅଭିଯୋଗ ହୋଇଛି ତାହାକୁ ସେ ଖଣ୍ଡନ କରିଛି । ଅଭିଯୁକ୍ତ ହାଦିରର ଜାମିନ ଆବେଦନ ନାମଞ୍ଜୁର ହୋଇଛି । ନ୍ୟୁୟର୍କର ଚୌଟାକୁଆ ଇନଷ୍ଟିଚ୍ୟୁସନରେ ହୋଇଥିବା ଇଭେଣ୍ଟରେ ଅଢେଇ ହଜାରରୁ ଅଧିକ ଦର୍ଶକ ଥିଲେ ମଧ୍ୟ ଆଖିପିଛୁଳାକେ ଆକ୍ରମଣ କରିଥିଲା ହାଦି ।

ଏଭଳି ମରଣାନ୍ତକ ଆକ୍ରମଣକୁ ନିନ୍ଦା କରିଛନ୍ତି ଆନ୍ତର୍ଜାତିକ ଲେଖିକା ତସଲିମା ନାସରିନ, ଫ୍ରାନସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ, ଆମେରିକା ଜାତୀୟ ନିରାପତ୍ତା ପରାମର୍ଶଦାତା ଜେକ ସୁଲିଭାନ ।