ଲକ୍ଷେ ଟଙ୍କାରେ ୫ ଦିନର ଶିଶୁପୁତ୍ର ବିକ୍ରି ଅଭିଯୋଗ

ପାରାଦୀପ: ବନ୍ଦର ନଗରୀ ପାରାଦୀପରେ ଚାଞ୍ଚଲ୍ୟ । ୫ ଦିନର ପିଲା ବିକ୍ରି ଘଟଣାକୁ ନେଇ ଆଲୋଚନା ଜୋର ଧରିଛି । ତେବେ ଏ ସମ୍ପର୍କରେ କୌଣସି ପ୍ରକାର ଅଭିଯୋଗ ଥାନାରେ ହୋଇ ନଥିବା ଜଣାପଡିଛି । ତେବେ ଶିଶୁପୁତ୍ରକୁ ଏକ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ଆଲୋଚନା ହେଉଛି ।

ନୂଆବଜାର ଆଶା କର୍ମୀଙ୍କ କହିବା ଅନୁଯାୟୀ, ଉକ୍ତ ମହିଳାଙ୍କ ସ୍ବାମୀ ତାଙ୍କୁ ଛାଡି ଚାଲିଯାଇଛନ୍ତି । ମାତ୍ର ସେ ଗର୍ଭବତୀ ହେବାରୁ ନୂଆ ବଜାର ଅଞ୍ଚଳର ଜଣେ ବ୍ୟକ୍ତି ପିଲାର ଲାଳନ ପାଳନ କରିବାର ପ୍ରତିଶୃତି ଦେଇ ମହିଳାଙ୍କର ଚିକିତ୍ସା କରାଉଥିଲେ । ଗତ ଶନିବାର ଦିନ ତାଙ୍କର ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ତେବେ ଶିଶୁଟିକୁ ଭାଇଜାଗ କିମ୍ବା ଆନ୍ଧ୍ର ଅଞ୍ଚଳର ଜଣକୁ ବିକ୍ରି କରି ଦିଆଯାଇଥିବା ଜଣାପଡିଛି ।

ଘଟଣା ସମ୍ପର୍କରେ ଖବର ପାଇ ପାରାଦୀପ ଆଦର୍ଶ ଥାନା ପୋଲିସ ତଦନ୍ତ କରିଥିଲେ ମଧ୍ଯ ଉକ୍ତ ମହିଳାଙ୍କୁ ନ ପାଇବାରୁ ଘଟଣାର ସତ୍ଯାସତ୍ଯ ଜଣାପଡିନାହିଁ ।