୧୦ ଲକ୍ଷରୁ ୫୦ ଲକ୍ଷ ବାର୍ଷିକ ଆୟ ହୋଇଥିଲେ ସଞ୍ଚୟ କରିବେ ୧୮ହଜାର, ଜାଣନ୍ତୁ କେମିତି ?

ନନ୍ଦିଘୋଷ ବ୍ୟୁରୋ: ସାଧାରଣ ବଜେଟରେ ଇନକମ୍‌ ଟ୍ୟାକ୍ସରେ ପରିବର୍ତ୍ତନ କରି ନୂଆ ଚାକିରିଆଙ୍କୁ ଆଶ୍ବସ୍ତି ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  । ଯଦି ଆପଣଙ୍କ ରୋଜଗାର ୧୦ ଲକ୍ଷରୁ ୫୦ ଲକ୍ଷ ମଧ୍ୟରେ ରହିଛି କେମିତି ଅଧିକ ଟ୍ୟାକ୍ସ ଦେବାରୁ ନିବୃତ୍ତ ରହିବେ ? ଯଦି ଆପଣଙ୍କ ରୋଜଗାର ୧୦ ଲକ୍ଷରୁ ଅଧିକ ତେବେ ଆପଣ ୧୭ ହଜାର ୫୦୦ ଟଙ୍କା ନୁହେଁ ୧୮ ହଜାର ୨୦୦ ଟଙ୍କା ଟିକସ ସଞ୍ଚିପାରିବେ  । କିନ୍ତୁ ଆପଣ କେଉଁ ଟ୍ୟାକ୍ସ ରିଜିମ ଚୟନ କରୁଛନ୍ତି, କେଉଁଥିରେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ଏହା ଟିକସ ସଞ୍ଚୟରେ ନିର୍ଭର କରେ  ।

ଯଦି କୌଣସି ବ୍ୟକ୍ତିଙ୍କ ଆୟ ୧୦ ଲକ୍ଷ ବା ତା ଠାରୁ ଅଧିକ ତେବେ ନୂଆ ଟିକସ ସ୍ଲାବରେ ପରିବର୍ତ୍ତନ ଓ ବଢିଥିବା ଷ୍ଟାଣ୍ଡାଡ ଡିଡକସନରୁ ବାର୍ଷିକ ୧୭ ହଜାର ୫୦୦ ଟଙ୍କା ଲାଭ ଉଠାଇ ପାରିବେ  । ଆପଣ ଏହା ଭାବିଥିବେ ନିଶ୍ଚିତ  । କିନ୍ତୁ ଟିକସରେ ସ୍ବାସ୍ଥ୍ଯ ଓ ଶିକ୍ଷା ସେସ୍‌ ବି କମ ହୋଇଯାଇଛି  । ଏଥିପାଇଁ ଆପଣଙ୍କୁ ଅତିରିକ୍ତ ୭୦୦ ଟଙ୍କା (୧୭,୫୦୦ ଟଙ୍କାର ୪ ପ୍ରତିଶତ) ସଞ୍ଚୟ ହେବ  । ଯାହାଦ୍ବାରା ସିଧାସଳଖ ୧୮ ହଜାର ୨୦୦ ଟଙ୍କା ସଞ୍ଚୟ ହୋଇପାରିବ  ।

ଯଦି ଆପଣଙ୍କ ବାର୍ଷିକ ଆୟ ୫୦ ଲକ୍ଷରୁ ଏକ କୋଟି ମଧ୍ୟରେ ରହିଛି ତେବେ ସରଚାର୍ଜରେ ୧,୭୫୦ ଟଙ୍କା (୧୭,୫୦୦ ର ୧୦%) ସଞ୍ଚୟ କରିପାରିବେ  । ସେସ୍‌ ସମେତ ଆପଣ ସିଧାସଳଖ ୨୦,୦୨୦ ଟଙ୍କା ସଞ୍ଚିପାରିବେ  । ଯଦି ଆୟ ଏକ କୋଟିରୁ ୨ କୋଟି ମଧ୍ୟରେ ରହିଛି ତେବେ ୧୫% ସରଚାର୍ଜ ରେଟ ଅର୍ଥ ସରଚାର୍ଜ ଓ ସେସ୍‌ ସମେତ ଆପଣଙ୍କ ସର୍ବମୋଟ ସଞ୍ଚୟ ୨୦,୯୩୦ ଟଙ୍କା ହେବ  । ଡେଭିଡେଣ୍ଡ ଓ କ୍ୟାପିଟାଲ ଗେନ୍‌କୁ ଛାଡି ୨ କୋଟି ଟଙ୍କାରୁ ୫ କୋଟି ଟଙ୍କା ମଧ୍ୟରେ ଆୟ ରହିଲେ ୨୫ ପ୍ରତିଶତ ଅନୁସାରେ ଆପଣ ୨୨,୭୫୦ ଟଙ୍କା ସଞ୍ଚୟ କରିପାରିବେ  ।

ସେହିପରି ବଜେଟରେ ନୂଆ ଟିକସ ଅନୁସାରେ ଷ୍ଟାଣ୍ଡାର୍ଡ ଡିଡକ୍ସନରେ ପରିବର୍ତ୍ତନ ପରେ ବାର୍ଷିକ ୭.୭୫ ଲକ୍ଷ ଟଙ୍କା ଆୟ ଏବେ ଟିକସ ମୁକ୍ତ ରହିବ  ।