spot_img

Latest Posts

ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଓ କବି ହରିହର ମିଶ୍ରଙ୍କ ବିୟୋଗ

ପୁରୀ: ପ୍ରଖ୍ୟାତ କବି,ସାହିତ୍ୟକ,ନାଟ୍ୟକାର ହରିହର ମିଶ୍ରଙ୍କ ଦେହାନ୍ତ ହୋଇଛି । ୮୪ବର୍ଷ ବୟସରେ ପୁରୀରେ ତାଙ୍କର ପରଲୋକ ହୋଇଛି । ହରିହର ମିଶ୍ର ୧୯୪୦ ମସିହା ନଭେମ୍ବର ୧୯ ତାରିଖରେ ପୁରୀର ମାର୍କଣ୍ଡେଶ୍ୱର ସାହିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମଣିରାମ ମିଶ୍ର ଓ ମାତାଙ୍କ ନାମ ସେବତୀ ଦେବୀ ଥିଲା । ସେ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ହାସଲ କରିଛନ୍ତି । ପୁରୀ କଲେଜରେ ଅଧ୍ୟାପନା ବୃତ୍ତିରେ ଥିଲେ ।

ଏକାଧାରରେ ଜଣେ କବି, ଗାଳ୍ପିକ, ଅନୁବାଦକ ଓ ନାଟ୍ୟକାର ଭାବରେ ଖ୍ୟାତି ଅର୍ଜନ କରିଥିଲେ ହରିହର ମିଶ୍ର । ଅଧ୍ୟାପନା ବୃତ୍ତିରେ ଥାଇ ସେ ସାହିତ୍ୟ ସର୍ଜନା ସହିତ ରେଡ଼ିଓ ନାଟକରେ ମଧ୍ୟ ଅଭିନୟ କରିଛନ୍ତି । ୨୦୧୬ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମିର ୩୧ତମ ସଭାପତି ଭାବରେ ନିଯୁକ୍ତ ହୋଇଥିଲେ ।

୧୯୭୦/୮୦ ଦଶକରେ ଓଡ଼ିଆ ସାହିତ୍ୟରେ ପ୍ରଭାବ ବିସ୍ଥାର କରିଥିବା ଅନାମ କବିତା ଆନ୍ଦୋଳନରେ ସେ ସଂଶ୍ଳିଷ୍ଠ ଥିଲେ । ସେ କବିତା, ଏକାଙ୍କିକା, ନାଟକ, ଉପନ୍ୟାସ, ଗଳ୍ପ ଓ ସମାଲୋଚନା ଆଦି ବିଭାଗରେ ନିଜ ଲେଖନୀ ଚାଳନା କରିଛନ୍ତି । ସମାବେଶ ପତ୍ରିକା ସମ୍ପାଦନା କରିଥିଲେ ହରିହର ମିଶ୍ର । ଶ୍ରୀଶ୍ରୀ ପତିତପାବନ (୧୯୬୨) କଥାଚିତ୍ରର ଗୀତ ଓ ସଂଳାପ ରଚୟିତା ଓ ସହ ନିର୍ଦ୍ଦେଶକ ଥିଲେ । ପରେ ୧୯୭୮ରେ ଚିଲିକା ତୀରେ କଥାଚିତ୍ରର ସଂଳାପକାର ଓ ସହ ନିର୍ଦ୍ଦେଶକ ଥିଲେ ଓ ୧୯୮୦ ତପସ୍ୟା କଥାଚିତ୍ରର ଗୀତ ଲେଖିଥିଲେ ।

ରାତ୍ରିର ଦୁଇଟି ଡେଣା ସଙ୍କଳନ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ । ୧୯୭୭ରେ ଦିବ୍ୟ ଅସନ୍ତୋଷ ପାଇଁ ଶାରଳା ପୁରସ୍କାର, ୨୦୧୧ ଭାନୁଜୀରାଓ ସ୍ମାରକୀ ପୁରସ୍କାର, ୨୦୦୭ ଜୀବନ ରଙ୍ଗ ପୁରସ୍କାର, ୧୯୮୩ ଝଙ୍କାର ବିଷୁବ ଗଳ୍ପ ପୁରସ୍କାର, ୧୯୬୦ ଝଙ୍କାର ବିଷୁବ କବିତା ପୁରସ୍କାର, ୧୯୬୯ ସାମଗ୍ରିକ କୃତି ପାଇଁ ବିଷୁବ ପୁରସ୍କାର, ୧୯୭୪ ଧରିତ୍ରୀ ସମ୍ମାନ ପାଇଥିଲେ ।

Latest Posts

Don't Miss