ଉଦଘାଟନ କରିଥିବା ଥାନାରେ ସଚିନଙ୍କ ସବୁଠୁ ବଡ଼ ପ୍ରଶଂସକଙ୍କୁ ପିଟିଲା ପୋଲିସ, ଜାଣନ୍ତୁ କାହିଁକି…

1 min read

ପାଟନା: କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ସବୁଠାରୁ ବଡ଼ ଫ୍ୟାନ ସୁଧୀର କୁମାର ଏବେ ଚର୍ଚ୍ଚାରେ । ଏବେ କୌଣସି କ୍ରିକେଟ ମ୍ୟାଚକୁ ନେଇ ଚର୍ଚ୍ଚାରେ ନାହାନ୍ତି ସୁଧୀର । ବରଂ ତାଙ୍କୁ ବିହାର ପୋଲିସ ମାଡ ମାରିବା ଫଳରେ ସେ ଚର୍ଚ୍ଚାକୁ ଆସିଛନ୍ତି । ଦିନେ ଯେଉଁ ଟାଉନ ଥାନାକୁ ସେଲିବ୍ରେଟି ଭାବରେ ଉଦଘାଟନ କରିଥିଲେ ସେହି ଥାନାରେ ତାଙ୍କୁ ଗାଳି ଦେବା ସହ ପୋଲିସ ଗୋଇଠା ମାରିବା ଅଭିଯୋଗ ହୋଇଛି । ଯାହାକୁ ସୁଧୀର ଏକ ଦୁର୍ଭାଗ୍ୟ ବୋଲି କହିଛନ୍ତି । ସୁଧୀର କୁମାରଙ୍କୁ ବିହାରର ମୁଜାଫରପୁର ଜିଲ୍ଲା ଟାଉନ ଥାନାରେ ଆକ୍ରମଣ କରାଯାଇଛି।

 

ସୂଚନା ଅନୁସାରେ ଏହି ଘଟଣା ଗୁରୁବାର ଦିନ ଘଟିଛି । କୁହାଯାଉଛି କି ମୁଜାଫରପୁର ପୋଲିସ ସୁଧୀର କୁମାରଙ୍କ ସମ୍ପର୍କୀୟ ଭାଇ କିଶନ କୁମାରଙ୍କୁ ତାଙ୍କ ଘରୁ ଉଠାଇ ଆଣିଥିଲା । ସେହି ସମୟରେ ସୁଧୀର ଘରେ ନଥିଲେ ତେଣୁ ସେ ଫେରିବା ପରେ ପରିବାର ଲୋକ ତାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । କେଉଁ କାରଣ ପାଇଁ ତାଙ୍କ ଭାଇଙ୍କୁ ପୋଲିସ ଉଠାଇ ନେଇଥିଲା ତାହା ମଧ୍ୟ ପୋଲିସ ଜଣାଇନଥିଲା । ଏହା ପରେ ସୁଧୀର ତୁରନ୍ତ ପୋଲିସ ଷ୍ଟେସନକୁ ଯାଇ ଏହି ଘଟଣା ବାବଦରେ ପଚାରି ବୁଝିଥିଲେ ।

ପୋଲିସ ସୁଧୀରଙ୍କ ଭାଇଙ୍କୁ ହାଜତରେ ରଖିଥିଲେ । ଯେତେବେଳେ ସେ ଏହି ବିଷୟରେ ତାଙ୍କ ଭାଇଙ୍କ ସହ କଥା ହୋଇଥିଲେ ତାଙ୍କ ଭାଇ କହିଥିଲେ କି ତାଙ୍କ ସାଙ୍ଗ ଏକ ଜମି କିଣିଛନ୍ତି, ଯେଉଁଥିରେ ସାକ୍ଷୀ ଭାବରେ ତାଙ୍କ ନାମକୁ ରଖିଥିଲେ । ଏବେ ସେହି ଜମିରେ କିଛି ବିବାଦ ହୋଇଛି । ଯାହା ଫଳରେ ଗୋଟିଏ ପକ୍ଷ ମାମଲା ଦାୟର କରିଛନ୍ତି । କିଶନ କୁମାର କହିଛନ୍ତି କି ସେ ଏହି ବିଷୟରେ କିଛି ଜାଣି ନାହାନ୍ତି, କିନ୍ତୁ ପୋଲିସ ତାଙ୍କୁ ଜୋର ଜବରଦସ୍ତ ଉଠାଇ ଆଣିଛି । ତେବେ ସୁଧୀର ଯେତେବେଳେ ତାଙ୍କ ଭାଇଙ୍କ ସହ କଥା ହେଉଥିଲେ ସେହି ସମୟରେ ଥାନାର କିରାଣୀ ସୁଧୀରଙ୍କୁ ଅସଦାଚରଣ କରିଥିଲେ । ସୁଧୀରଙ୍କୁ କେବଳ ଅସଦାଚରଣ କରିନଥିଲେ ସେ ସୁଧୀରଙ୍କୁ ଦୁଇଟି ଗୋଇଠା ମାରି ପୋଲିସ ଷ୍ଟେସନରୁ ବାହାରକୁ ବାହାର କରିଦେଇଥିଲେ । ପୋଲିସର ଏପରି ବ୍ୟବହାରରେ ହତାଶ ହୋଇ ସୁଧୀର ସେଠାରୁ ଚୁପଚାପ ଫେରିଆସି ଡିଏସପିଙ୍କୁ ଭେଟିଥିଲେ । ଏହି ମାମଲାରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏସପି ସୁଧୀରଙ୍କୁ କହିଛନ୍ତି ।

ଏହି ଘଟଣାରେ ସୁଧୀର କହିଛନ୍ତି କି ଏହା ଏକ ଦୁର୍ଭାଗ୍ୟଜନକ ଘଟଣା । ଯେଉଁ ପୋଲିସ୍ ଷ୍ଟେସନକୁ ଦିନେ ସେଲିବ୍ରେଟି ଭାବରେ ଉଦଘାଟନ କରିଥିଲେ ଆଜି ସେହି ପୋଲିସ ଷ୍ଟେସନରେ ତାଙ୍କୁ ମାଡ ମାରି ବାହାର କରି ଦିଆଯାଇଛି । ସେ ଆହୁରି କହିଛନ୍ତି- ଯେତେବେଳେ ପୋଲିସ ତାଙ୍କ ସହ ଏପରି ବ୍ୟବହାର କରୁଛି, ସେତେବେଳେ ସାଧାରଣ ଲୋକଙ୍କ ସହ ପୋଲିସ କିପରି ବ୍ୟବହାର କରୁଥିବା ତାହା ଆପଣ ବୁଝିପାରୁଥିବେ ବୋଲି କହିଛନ୍ତି ସୁଧୀର କୁମାର ।

Leave a Reply