ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ତେଲୁଗୁ ଆକ୍ସନ ଡ୍ରାମା ଫିଲ୍ମ ଟ୍ରିପଲ୍ ଆର୍

1 min read

ନୂଆଦିଲ୍ଲୀ: ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ RRR । ଏସ୍ ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବଲିଉଡ ବିଉଟି ଆଲିୟା ଭଟ୍ଟଙ୍କ ସହ ସାଉଥଷ୍ଟାର ରାମଚରଣ, ଜୁନିୟର ଏନଟିଆର ଏବଂ ଅଜୟ ଦେଗବନଙ୍କ ଦମଦାର ଆକ୍ଟିଂ ଦେଖିବାକୁ ମିଳିଛି । ପ୍ରାୟ ୫୫୦ କୋଟି ଟଙ୍କାରେ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକମାନେ ବେଶ୍ ଉତ୍ସାହିତ ଅଛନ୍ତି । ସେପଟେ ଫିଲ୍ମ ରିଲିଜ ପୂବର୍ରୁ ଆଡଭାନ୍ସ ଟିକେଟ ବୁକିଂରେ ଆରଆରଆର ଫିଲ୍ମ ରେକର୍ଡ କରିଛି । ଏହି ଚଳଚ୍ଚିତ୍ର ରିଲିଜ୍ ହେବା ପୂର୍ବରୁ ୬୦ କୋଟି ଟଙ୍କାରୁ ଅଧିକର ଆଡଭାନ୍ସଡ ବୁକିଂ ହୋଇସାରିଥିଲା ।

ଚଳଚ୍ଚିତ୍ର ବ୍ୟବସାୟ ବିଶେଷଜ୍ଞଙ୍କ ଅନୁସାରେ ଏହି ଚଳଚ୍ଚିତ୍ର ରିଲିଜ୍ ହେବାର ପ୍ରଥମ ଦିନ ହିଁ ୧୦୦ କୋଟି ଟଙ୍କାରୁ ଅଧିକ ଆୟ କରିବ । ଏସ ଏସ ରାଜାମୌଲିଙ୍କ ବାହୁବଳି-୨ ଫିଲ୍ମ ପ୍ରଥମ ଦିନରେ ସମସ୍ତ ଭାଷାରେ ପ୍ରାୟ ୧୨୧ କୋଟି ଟଙ୍କା ଆୟ କରିଥିଲା । ତେବେ ଏବେ ଆରଆରଆର’ର ଆଡଭାନ୍ସ ବୁକିଂକୁ ଦେଖି ଜଣା ପଡ଼ୁଛି କି ଏହି ଫିଲ୍ମ ବାହୁବଳି-୨ର ରେକର୍ଡ ବି ଭାଙ୍ଗିପାରେ । ଅନ୍ୟପକ୍ଷରେ ରିଲିଜ୍ ପୂର୍ବରୁ ହିଁ ‘ଆରଆରଆର୍’ ଅନେକ ରେକର୍ଡକୁ ଭାଙ୍ଗି ଦେଇଛି । ବିତରଣ, ସାଟେଲାଇଟ୍, ମ୍ୟୁଜିକ୍ ଭଳି ରାଇଟ୍ସ୍ ବିକ୍ରି କରି ଏହି ଚଳଚ୍ଚିତ୍ର ୮୦୦ କୋଟି ଟଙ୍କା ଆୟ କରିଛି । ରିଲିଜ୍ ପୂର୍ବରୁ ୮୦୦ କୋଟି ଆୟ କରିବାରେ ‘ଆରଆରଆର୍’ ଭାରତର ପ୍ରଥମ ଚଳଚ୍ଚିତ୍ର ହୋଇଛି ।