ନାଟୋ ରାଷ୍ଟ୍ର ବିରୋଧରେ ଋଷର ମେଗାପ୍ଲାନ, ପଡୋଶୀ ବେଲାଋଷରେ ମୁତୟନ କଲା ଆଣବିକ ଅସ୍ତ୍ର

1 min read

ନୂଆଦିଲ୍ଲୀ: ନାଟୋ ରାଷ୍ଟ୍ର ବିରୋଧରେ ଋଷର ମେଗାପ୍ଲାନ୍ । ପଡୋଶୀ ବେଲାଋଷରେ ମୁତୟନ କଲା ଆଣବିକ ଅସ୍ତ୍ର । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି- ପାଶ୍ଚାତ୍ୟ ରାଷ୍ଟ୍ରକୁ ଚେତାବନୀ ଦେବା ସକାଶେ ଏହି କୌଶଳଗତ ଅସ୍ତ୍ର ମୁତୟନ କରାଯାଇଛି । କୌଣସି ସ୍ଥିତିରେ ଯେପରି ଋଷର ପରାଜୟ ହେବ ନାହିଁ ତାହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ସେଣ୍ଟ ପିଟର୍ସବର୍ଗରେ ଆୟୋଜିତ ଇକୋନୋମିକ ଫୋରମ ବୈଠକରେ ଯୋଗ ଦେଇ ପୁଟିନ କହିଛନ୍ତି- ବର୍ତ୍ତମାନ ଋଷ ଆଣବିକ ଅସ୍ତ୍ର ବ୍ୟବହାର କରିବାକୁ ଚାହେଁ ନାହିଁ । ଋଷର ସୀମା କିମ୍ବା ରାଷ୍ଟ୍ରର ସାର୍ବଭୌମତ୍ବ ଉପରେ ଆଞ୍ଚ ଆସିଲେ ହିଁ ଋଷ ଏହି ସବୁ ଅସ୍ତ୍ରର ବ୍ୟବହାର କରିବ । ବହୁ ବର୍ଷ ଧରି ଋଷର ଘନିଷ୍ଠ ରାଷ୍ଟ୍ର ଭାବେ ବେଲାଋଷ ରହିଆସିଛି ଏବଂ ଗତବର୍ଷ ଫେବ୍ରୁଆରୀରେ ୟୁକ୍ରେନ ଆକ୍ରମଣ ପରଠାରୁ ବେଲାଋଷକୁ ଲଞ୍ଚପ୍ୟାଡ ଭାବେ ବ୍ୟବହାର କରିଆସିଛି ଋଷ । ସେ କହିଛନ୍ତି- ଆଣବିକ ଅସ୍ତ୍ର ପ୍ରସଙ୍ଗରେ ବେଲାଋଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସେଙ୍କୋଙ୍କ ସହ ଆଲୋଚନା ହୋଇଛି ଏବଂ ବେଲାଋଷର ସୀମାନ୍ତରେ ଏହାକୁ ମୁତୟନ କରାଯାଇଛି ।

ନାଟୋର ସଦସ୍ୟ ରାଷ୍ଟ୍ର ପୋଲାଣ୍ଡ, ଲିଥୁଆନିଆ ଓ ଲାଟଭିଆ ସୀମାକୁ ଲାଗି ଅବସ୍ଥିତ ବେଲାଋଷରେ ଆଣବିକ ଅସ୍ତ୍ର ମୁତୟନ ହେବା ପରେ ସମଗ୍ର ନାଟୋ ଲାଗି ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା କରାଯାଉଛି । ଏହି ୩ ନାଟୋ ସଦସ୍ୟ ରାଷ୍ଟ୍ର ସହ ବେଲାଋଷର ସୀମା ପ୍ରାୟ ୧୨୫୦ କିଲୋମିଟର ଯାଏ ଲମ୍ବିଛି । କିଛିଦିନ ତଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ- ବେଲାଋଷରେ ଋଷ ପକ୍ଷରୁ ଆଣବିକ ଅସ୍ତ୍ରଶସ୍ତ୍ର ମହଜୁଦ କରାଯିବା ଲାଗି ବ୍ୟବସ୍ଥା ଜୁଲାଇ ୧ ସୁଦ୍ଧା ଶେଷ ହେବ । ଏହା ସହ ଆଣବିକ ଅସ୍ତ୍ର ପରିବହନ କରିବାକୁ ବେଲାଋଷର ଯୁଦ୍ଧବିମାନଗୁଡ଼ିକର ଆଧୁନିକୀକରଣ କରାଯିବ ବୋଲି ସେ କହିଥିଲେ ।