ନନ୍ଦିଘୋଷ ବ୍ୟୁରୋ : ବିଶ୍ଵ ରାଜନୀତିକୁ ନେଇ ଏହି ସମୟର ସବୁଠାରୁ ବଡ ଖବର ସାମ୍ନାକୁ ଆସୁଛି । ଆସନ୍ତା ସେପ୍ଟେମ୍ବର ମାସରେ ଭାରତ ଗସ୍ତରେ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ହାଇ-ପ୍ରୋଫାଇଲ ବ୍ରିକ୍ସ (BRICS) ଶିଖର ସମ୍ମିଳନୀରେ ସେ ସାମିଲ ହେବେ । ରୁଷର ସରକାରୀ ସମ୍ବାଦ ସଂସ୍ଥା ତାସ (TASS) ଅନୁଯାୟୀ, କ୍ରେମଲିନର ଆନ୍ତର୍ଜାତୀୟ ବ୍ୟାପାର ପରାମର୍ଶଦାତା ୟୁରି ଉଶାକୋଭା ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ ଭାରତ ବ୍ରିକ୍ସର ସଭାପତିତ୍ୱ କରୁଥିବାରୁ ସେପ୍ଟେମ୍ବର ୧୨ ଏବଂ ୧୩ ତାରିଖରେ ଏହି ମହାସମ୍ମିଳନୀର ଆୟୋଜନ କରାଯାଇଛି ।
ଜିନପିଙ୍ଗଙ୍କ ସହ ହେବ ମହାବୈଠକ !
ଏହି ଗସ୍ତରେ ସବୁଠରୁ ବଡ ଓ ରୋମାଞ୍ଚକର ଦିଗ ହେଉଛି- ବ୍ରିକ୍ସ ସମ୍ମିଳନୀର ପାର୍ଶ୍ଵବର୍ତ୍ତୀ ବୈଠକରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଏକ ସ୍ପେଶାଲ ଦ୍ୱିପାକ୍ଷିକ ଆଲୋଚନା ହେବାକୁ ଯାଉଛି। ଏହାପୂର୍ବରୁ ଗତ ୨୦୨୫ରେ ୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବାକୁ ପୁଟିନ ଭାରତ ଆସିଥିଲେ । ଏହି ମହାଗସ୍ତର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବା ପାଇଁ ଚଳିତ ମାସ ଆରମ୍ଭରେ ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ମଧ୍ୟ ଦିଲ୍ଲୀ ଆସି ସମୀକ୍ଷା କରିସାରିଛନ୍ତି ।
କାହିଁକି ଗୁତୁତ୍ୱପୂର୍ଣ୍ଣ ଏହି ବ୍ରିକ୍ସ?
ବ୍ରିକ୍ସ ଏବେ ବିଶ୍ଵ ଅର୍ଥନୀତିର ଏକ ଶକ୍ତିଶାଳୀ ମଞ୍ଚ ପାଲଟିଛି । ପ୍ରାରମ୍ଭରେ ଏଥିରେ ବ୍ରାଜିଲ, ରୁଷ, ଭାରତ,ଚୀନ ଏବଂ ଦକ୍ଷିଣ ଆଫ୍ରିକା ଥିଲେ । କିନ୍ତୁ ୨୦୨୪ରେ ଇଜିପ୍ଟ, ଇଥିଓପିଆ, ଇରାନ ଓ ୟୁଏଇ ଏବଂ ୨୦୨୫ରେ ଇଣ୍ଡୋନେସିଆ ଏଥିରେ ଯୋଗ ଦେବା ପରେ ଏହା ଏକ ବିଶାଳ ସଂଗଠନରେ ପରିଣତ ହୋଇଛି ।
ବ୍ରିକ୍ସର ୫ଟି ମୁଖ୍ୟ ଶକ୍ତି-
. ୧୧ ପ୍ରମୁଖ ଦେଶ: ଏବେ ଏହି ସଂଗଠନରେ ବିଶ୍ଵର ୧୧ଟି ବଡ ବିକାଶଶୀଳ ଅର୍ଥନୀତି ସାମିଲ ଅଛନ୍ତି ।
. ୪୯.୫ ପ୍ରତିଶତ ଜନସଂଖ୍ୟା: ସାରା ଦୁନିଆର ପ୍ରାୟ ଅଧା ଜନସଂଖ୍ୟା ଏହି ଦେଶଗୁଡିକରେ ବାସ କରନ୍ତି ।
. ୪୦ ପ୍ରତିଶତ (GDP): ବିଶ୍ଵର ମୋଟ ଜିଡିପିର ପ୍ରାୟ ୪୦ ପ୍ରତିଶତ ଏହି ଗ୍ରୁପ୍ ପାଖରେ ଅଛି।
. ୨୬ ପ୍ରତିଶତ ବାଣିଜ୍ୟ: ଗ୍ଲୋବାଲ୍ ଟ୍ରେଡର ଏକ ବଡ ଭାଗ ଏମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ।
. ମୋଦୀଙ୍କ ନେତୃତ୍ୟରେ ଭାରତ ଚଳିତ ବର୍ଷ ଏହାର ମଙ୍ଗ ଧରିଛି ।
ୟୁକ୍ରେନ ଯୁଦ୍ଧ ଏବଂ ବଦଳୁଥିବା ଭୂ-ରାଜନୀତି ମଧ୍ୟରେ ପୁଟିନଙ୍କ ଏହି ଭାରତ ଗସ୍ତ ଏବଂ ଜିନପିଙ୍ଗଙ୍କ ସହ ସାକ୍ଷାତକାର ଉପରେ ଏବେ ସାରା ବିଶ୍ଵର ନଜର ରହିଛି ।

