ଓଡ଼ିଶାରେ ୩ ଋଷୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ବୟାନ ଜାରି କଲା ବିଦେଶ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ରାଜ୍ୟରେ ୩ ଜଣ ଋଷୀୟ ନାଗରିକଙ୍କ ମୃତ୍ୟୁକୁ ରହସ୍ୟ ବଢ଼ିବାରେ ଲାଗିଛି । ରାୟଗଡ଼ାରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ପାରାଦୀପରେ ତଦନ୍ତ କରୁଛି ପୋଲିସ । ତେବେ ଏସବୁ ଭିତରେ ସମସ୍ତ ୩ ନାଗରିକଙ୍କ ମୃତ୍ୟୁର ତଦନ୍ତ ହେବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ପୃଥକ ପୃଥକ ହୋଇଥିବା ମୃତ୍ୟୁକୁ ଏକ ସାଙ୍ଗରେ ଯୋଡି ରଖା ଯାଇପାରିବନି ବୋଲି କହିଛନ୍ତି ।

୩ ନାଗରିକଙ୍କ ମୃତ୍ୟୁର ତଦନ୍ତ ପାଇଁ ଯାହା କିଛି ବି ଆବଶ୍ୟକ ପଡ଼େ, ତାହା କରାଯିବ ବୋଲି କହିଛନ୍ତି ଅରିନ୍ଦମ ବାଗଚି । ୩ ନାଗରିକଙ୍କ ମୃତ୍ୟୁର ତଦନ୍ତ ଓଡ଼ିଶା ପୋଲିସ କରୁଥିବା ବେଳେ, କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ । ଗତ ୩ ତାରିଖରେ ପାରାଦୀପ ବନ୍ଦରରେ ଲାଗିଥିବା ଋଷୀୟ ଜାହାଜର ଚିଫ ଇଞ୍ଜିନିୟର ମିଲ୍ୟାକୋଭ ସର୍ଜେଇଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ରାୟଗଡ଼ାରେ ୨ ଜଣ ଋଷୀୟ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ଭ୍ଲାଦିମିରଙ୍କ ମୃତ୍ୟୁ ହୃଦଘାତରୁ ହୋଇଥିବା ବେଳେ ପାଭେଲ ଆନ୍ଥୋଭ ଆତ୍ମହତ୍ୟା କରିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି ।