ପାରାଦୀପରେ ଋଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା, ଆଜି ହେବ ମିଲ୍ୟାକୋଭ ସର୍ଜେଇଙ୍କ ବ୍ୟବଚ୍ଛେଦ

ପାରାଦୀପ: ପାରାଦୀପ ବନ୍ଦର ଆଙ୍କରେଜରେ ଥିବା ଜାହାଜରେ ଋଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା । ଏମ.ଭି. ଅଲଦାନା ନାମକ ଜାହାଜର ଚିଫ ଇଞ୍ଜିନିୟର ମିଲ୍ୟାକୋଭ ସର୍ଜେଇଙ୍କ ମୃତଦେହ ପାରାଦୀପ ବନ୍ଦର ଚିକିତ୍ସାଳୟରେ ସଂରକ୍ଷିତ ରଖାଯାଇଛି । ପୋଲିସ ପକ୍ଷରୁ ଜାହାଜର ସମସ୍ତ ୨୨ ଜଣ ସଦସ୍ୟଙ୍କ ବୟାନ ରେକର୍ଡ କରାଯାଇଛି । ପରେ ମୃତ ଋଷ ନାଗରିକଙ୍କ ମୃତଦେହକୁ ଏକ ଆମ୍ବୁଲାନ୍ସ ସହାୟତାରେ ବନ୍ଦର ଚିକିତ୍ସାଳୟର ଫ୍ରିଜରରେ ରଖାଯାଇଛି । ଏହି ପ୍ରକ୍ରିୟା ରାତି ୨ଟା ପର୍ଯ୍ୟନ୍ତ ଚାଲିଥିଲା । ଆଜି ତାଙ୍କ ଶବ ବ୍ୟବଚ୍ଛେଦ କରାଯିବାର ବ୍ୟବସ୍ଥା କରାଯିବ । ଏବଂ ଶବ ହସ୍ତାନ୍ତରର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି । ଏଥିସହିତ ବ୍ୟବଛେଦ ପରେ ତାଙ୍କର ମୃତ୍ୟୁର ସଠିକ୍ ତଥ୍ୟ ସାମ୍ନାକୁ ଆସିବ।

୨ ତାରିଖ ଦିନ ସନ୍ଧ୍ୟାରେ ଏହି ଜାହାଜ ଆଙ୍କରେଜରେ ଲାଗିଥିଲା ଏବଂ ୩ ତାରିଖରେ ଜେଏସଡବ୍ଲ୍ୟୁ ବର୍ଥରୁ ଆଇରନ ଓର ନେବାର ଥିଲା । ମାତ୍ର ମଙ୍ଗଳବାର ଭୋର ୪ଟା ୧୫ରେ ଜାହାଜର ଚିଫ୍ ଇଞ୍ଜିନିୟର ଗୁରୁତର ଥିବା ନେଇ ବନ୍ଦରକୁ ମେସେଜ ଦିଆଯାଇଥିଲା । ବନ୍ଦର ପକ୍ଷରୁ ଡକ୍ ବୋଟ୍ ସହାୟତାରେ ଏକ ଡାକ୍ତରୀ ଟିମ୍ ଜାହାଜ ନିକଟକୁ ପଠାଯାଇଥିଲା । ମାତ୍ର ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତରୀ ଟିମ୍ । ଏନେଇ ଜାହାଜ ଏଜେନ୍ସି ପକ୍ଷରୁ ପାରାଦୀପ ଥାନାରେ ଏତଲା ଦିଆଯିବା ପରେ ଜାହାଜରୁ ମୃତଦେହ ଆଣିବା ବ୍ୟବସ୍ଥା କରାଯାଇଥିଲା । ନେହେରୁ ବଙ୍ଗଳା ମେରାଇନ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହିତ ପାରାଦୀପ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ଏକ ଟିମ୍ ଜାହାଜ ନିକଟକୁ ଯାଇଥିଲେ । ମାତ୍ର ଅତ୍ୟଧିକ ଲହଡି ଥିବାରୁ ଜାହାଜକୁ ବର୍ଥକୁ ଅଣାଯାଇ ଆଇରନ ଓର ବର୍ଥରେ ବର୍ଥିଂ କରାଯାଇଥିଲା ।