ଋଷ୍ ଆଣିଲା ପଶୁ ମାନଙ୍କ ପାଇଁ ପ୍ରଥମ କରୋନା ଟିକା

1 min read

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କରୋନା । ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଆକ୍ଟିଭ୍ କେସ୍ ବି ବଢୁଛି । କେତେକ ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମହାରାଷ୍ଟ୍ର ସମେତ ଦିଲ୍ଲୀ, ପଞ୍ଜାବ, କେରଳ, କର୍ନାଟକରେ ବେକାବୁ ହୋଇଛି ସ୍ଥିତି । ସବୁଠୁ ଖରାପ ସ୍ଥିତି ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଲକଡାଉନ ଓ ରାତ୍ରିକାଳୀନ କର୍ଫ୍ୟୁ ଲଗାଯାଇଛି । ସଂକ୍ରମିତଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କ କ୍ଷେତ୍ରରେ କରୋନା ଲକ୍ଷଣ ଦେଖାଯାଉ ନ ଥିବା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି ।

ଭୂତାଣୁକୁ ଚେକ୍ ଦେବା ପାଇଁ ବିଶ୍ୱବ୍ୟାପି ଟିକାକରଣ ଅଭିଯାନକୁ ଜୋରଦାର କରାଯାଇଛି । କରୋନା ମହାମାରୀଠାରୁ ମୁକ୍ତି ପାଇବା ପାଇଁ ଲୋକମାନେ କରୋନା ଭ୍ୟାକସିନ ନେବା ସହ ସଚେତନ ରହୁଛନ୍ତି ।

ତେବେ ଇତି ମଧ୍ୟରେ ପଶୁମାନଙ୍କ ପାଇଁ ବିଶ୍ୱର ପ୍ରଥମ କୋଭିଡ୍‌ ଟିକା ବିକଶିତ କରିଛି ଋଷ୍ । କରୋନା ଭୂତାଣୁର ଉତ୍ପତ୍ତି ସଂକ୍ରାନ୍ତ ସଦ୍ୟ ରିପୋର୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପଶୁଙ୍କ ଦେହରୁ ମନୁଷ୍ୟ ଶରୀରକୁ ସଂକ୍ରମଣ ବ୍ୟାପିଛି ବୋଲି ସ୍ପଷ୍ଟ କରିବା ସହ ଏଥି ପାଇଁ ଚିନ୍ତା ପ୍ରକଟ କରିଥିବା ବେଳେ ପଶୁଙ୍କ ପାଇଁ ରୁଷିଆର ଏହି କାର୍ଣ୍ଣିଭାକ୍‌-କୋଭ୍‌ ନାମକ ଟିକାର ବିକାଶ ଗୁରୁତ୍ୱ ବହନ କରୁଛି ।

ସୂଚନା ଅନୁଯାୟୀ, ଗତ ଅକ୍ଟୋବର ମାସରୁ ବିଭିନ୍ନ ପଶୁଙ୍କ ଠାରେ ରୁଷିଆ ଚଳାଇଥିବା ନୈଦାନିକ ପରୀକ୍ଷଣରେ କୁକୁର, ବିରାଡ଼ି, କୋକିଶିଆଳି ଓ ମିଙ୍କ୍‌ ପରି ପ୍ରାଣୀଙ୍କ ଠାରେ କରୋନାବିରୋଧୀ ଆଣ୍ଟିବଡି ବିକଶିତ ହୋଇଥିବା ସ୍ପଷ୍ଟ ହୋଇଛି। ଫଳରେ ଟିକାକରଣ ଦ୍ୱାରା ବିଭିନ୍ନ ପଶୁଙ୍କୁ କରୋନାଭୂତାଣୁ ଦାଉରୁ ମୁକ୍ତ ରଖିବା ସହ ଏହାର ରୂପାନ୍ତରୀକରଣକୁ ମଧ୍ୟ ପ୍ରତିରୋଧ କରିହେବ ବୋଲି ରୁଷୀୟ ବିଶେଷଜ୍ଞମାନେ ଆଶାବାଦୀ ଅଛନ୍ତି। ଏଥି ସହିତ ଏହି ଟିକାର ଗଣପ୍ରସ୍ତୁତି ଚଳିତ ମାସରେ ଆରମ୍ଭ ହେବ ବୋଲି ଋଷ୍ ଘୋଷଣା କରିଛି ।

Leave a Reply