ୟୁକ୍ରେନର ୧୭ଟି ସାମରିକ ସ୍ଥଳ ଉପରେ ଋଷର ଏୟାରଷ୍ଟ୍ରାଇକ, ୨୦୦ରୁ ଅଧିକ ସୈନ୍ୟ ନିହତ
କିଭ୍: ୟୁକ୍ରେନର ୧୭ଟି ସାମରିକ ସ୍ଥଳ ଉପରେ ଋଷର ଜୋରଦାର ଏୟାରଷ୍ଟ୍ରାଇକ୍ । ୨୦୦ରୁ ଅଧିକ ୟୁକ୍ରେନୀୟ ସୈନ୍ୟ ନିହତ । ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳକୁ ହିଟ୍ କରିପାରୁଥିବା ଶକ୍ତିଶାଳୀ ରକେଟ ଆକ୍ରମଣରେ କମାଣ୍ଡ ପୋଷ୍ଟ, ଏକ ପଣ୍ୟାଗାର ଧ୍ୱଂସ ହେବା ସହ ଅନେକ ସାମରିକ ଭିତ୍ତିଭୂମି ଧ୍ୱଂସ ହୋଇଛି । ଯୁଦ୍ଧକୁ ୬୭ ଦିନ ପୂରିଥିବା ବେଳେ ଏହି ଏୟାରଷ୍ଟ୍ରାଇକ ଯୋଗୁ ୨୩ଟି ସାଞ୍ଜୁଆ ଯାନ ବି ନଷ୍ଟ ହୋଇଛି । ଏହା ସହ ଓଡ଼େଶା ବିମାନବନ୍ଦରରେ ମଧ୍ୟ ଆକ୍ରମଣ ହୋଇଛି ।
ଅନ୍ୟପଟେ ପୋର୍ଟସିଟି ମାରିୟୁପୋଲରେ ସଂଘର୍ଷ ଜାରି ରହିଛି । ଅତ୍ୟନ୍ତ ସଙ୍କଟଜନକ ଅବସ୍ଥାରେ ଫସି ରହିଥିବା ୨୦ ଜଣ ନାଗରିକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ଜାପୋରଝିଆ ସହରକୁ ସ୍ଥାନାନ୍ତର କରାଯାଇଛି । ଆଜୋଭସ୍ତଲ ଷ୍ଟିଲ ପ୍ଲାଣ୍ଟରେ ରହିଥିବା ୟୁକ୍ରେନୀୟ ସୈନ୍ୟମାନେ ଋଷ ସୈନ୍ୟଙ୍କୁ କଡ଼ା ଟକ୍କର ଦେଉଛନ୍ତି । ସେଠାରେ ଅନେକ ୟୁକ୍ରେନୀୟ ନାଗରିକ ଆଶ୍ରୟ ନେଇଥିବାରୁ ତାହା ଉପରେ ଏୟାର ଷ୍ଟ୍ରାଇକ କରିବା ସମ୍ଭବ ହୋଇନାହିଁ ।
ସେପଟେ ମାରିୟୁପୋଲରେ ଫସିଥିବା ହଜାର ହଜାର ଲୋକଙ୍କୁ ତୁରନ୍ତ ଉଦ୍ଧାର ପ୍ରକ୍ରିୟାରେ ନିୟୋଜିତ ହୋଇଛି ଜାତିସଂଘର ଏକ ସ୍ୱତନ୍ତ୍ର ଟିମ୍ । ବୁଚା ସହର ନିକଟବର୍ତ୍ତୀ ଅଞ୍ଚଳରେ ହାତବନ୍ଧା ଅବସ୍ଥାରେ ୩ଟି ଶବକୁ ଠାବ କରାଯାଇଛି । ସେପଟେ ୟୁକ୍ରେନରେ ଯୁଦ୍ଧ ନ କରି ପ୍ରଥମେ ଜୀବନ ରକ୍ଷା କରନ୍ତୁ ବୋଲି ଋଷ ସୈନ୍ୟଙ୍କୁ ଆହ୍ୱାନ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଆଗକୁ ଯୁଦ୍ଧ ଭୟଙ୍କର ହେବ ଏବଂ ହଜାର ହଜାର ଋଷ ସୈନ୍ୟ ପ୍ରାଣ ହରାଇବା ଆଶଙ୍କା ରହିଛି ବୋଲି କହିଛନ୍ତି ଜେଲେନସ୍କି ।