ଆମେରିକାର ସାଙ୍ଘାତିକ ଅଭିଯୋଗ: ଚୀନକୁ ଅସ୍ତ୍ର ମାଗୁଛି ଋଷ

1 min read

ନନ୍ଦିଘୋଷ ବ୍ୟୁରୋ: ୟୁକ୍ରେନ୍-ଋଷିଆ ଯୁଦ୍ଧ ଭିତରେ ଚୀନର ଆବିର୍ଭାବ । ବନ୍ଧୁ ରାଷ୍ଟ୍ର ଚୀନକୁ ଅର୍ଥ ଓ ଆର୍ଥିକ ସହାୟତା ମାଗୁଛି ଋଷିଆ । ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଓ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ବନ୍ଧୁତା ଯୁଦ୍ଧ ଭିତରକୁ ସମ୍ପର୍କଙ୍କୁ ଟାଣିଛି । ରବିବାର ଆମେରିକା ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ମୁଣ୍ଡ ଟେକିଛି ଏହି ବଡ଼ ବିବାଦ । କିନ୍ତୁ ଆମେରିକାର ଏହି ଖବରକୁ ନେଇ ବେଜିଂ ସିଧାସଳଖ ପ୍ରତ୍ୟାକ୍ଷାନ କରିଛି । ରୁଷ୍ ମଧ୍ୟ ଏହି ଖବରକୁ ଅସ୍ବୀକାର କରିଛି। ଚୀନ୍ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜାନ ଖଣ୍ଡନ କରିଛନ୍ତି । ୟୁକ୍ରେନ୍ ପ୍ରସଙ୍ଗରେ ଚୀନ୍ର ସମ୍ପୃକ୍ତିକୁ ଯୋଡ଼ିବା ପାଇଁ ମନ୍ଦ ଉଦ୍ଦେଶ୍ୟ ରଖି ଆମେରିକା ମିଥ୍ୟା ଖବର ପ୍ରସାରଣ କରୁଛି। ଅପରପକ୍ଷେ କ୍ରେମ୍ଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ କହିଛନ୍ତି ଯେ, ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଲଢିବା ପାଇଁ ଋଷିଆ ପାଖରେ ଯଥେଷ୍ଟ ସମ୍ଭଳ ରହିଛି । ତେଣୁ ଋଷିଆ କାହା ପାଖରେ ହାତ ପତାଇବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଡିମିଟ୍ରି ପେସ୍କୋଭ ।

ଆମେରିକାର ଅଧିକାରୀ ମାନେ ସୋମବାର ସାମ୍ବାଦିକ ଡକାଇଥିଲେ । ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢୁଥିବା ଋଷିଆ ଚୀନକୁ ମାଗିଛି ଆର୍ଥିକ ଓ ସାମରିକ ସହାୟତା । ସର୍ବଦା ଋଷ ସମର୍ଥନରେ ବାହାରୁଥିବା ଚୀନ କେବେ ମଧ୍ୟ ୟୁକ୍ରେନ ଆକ୍ରମଣକୁ ନିନ୍ଦା ପ୍ରକଟ କରିନାହିଁ । ଅପରପକ୍ଷରେ ନାଟୋର କାର୍ଯ୍ୟକଳାପକୁ ନିନ୍ଦା କରିଛି ଚୀନ । ଯଦି ୟୁକ୍ରନ ବିରୋଧରେ ଯୁଦ୍ଧ ଲଢୁଥିବା ପୁତିନଙ୍କୁ କୌଣସି ପ୍ରକାର ମଧ୍ୟ ସହାୟତା କେରେ, ତେବେ ପରିଣାମ ଭୟଙ୍କର ହେବ । ଅର୍ଥାତ କହିବାକୁ ଗଲେ ଚୀନକୁ ସିଧାସଳଖ ଧମକ ଦେଇଛି ଆମେରିକା । ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ୍ ସୁଲିଓ୍ବନ୍ କହିଛନ୍ତି, ଯଦି ଚୀନ ମସ୍କୋକୁ ସାହାଯ୍ୟ ପାଇଁ ଆଗକୁ ଆସେ ତାହେଲେ ତାକୁ ନିଶ୍ଚିତ ଭାବେ ଏହାର ପରିଣାମ ଭୋଗିବାକୁ ପଡିବ । ଏଥିପାଇଁ ଚୀନ ପ୍ରସ୍ତୁତ ରହିଥାଉ । ସେ କହିଛନ୍ତି, ୟୁକ୍ରେନ୍ରେ ଏବେ ଋଷ ସେନା ଫସିଯାଇଛି । ଯୁଦ୍ଧ କରିବାକୁ ଅସ୍ତ୍ରଶସ୍ତ୍ର କମିଗଲାଣି । ଆଉ ସେଥିପାଇଁ ଏବେ ଚୀନକୁ ସହଯୋଗ ମାଗିଛି ଋଷ । ତେଣୁ ଯଦି କୌଣସି ପ୍ରକାର ସହଯୋଗ ବେଜିଂ ପକ୍ଷରୁ ମସ୍କୋକୁ ମିଳେ ତେବେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଯିବ । ଆମେ ତାକୁ ଆଗେ ବଢିବାକୁ ଦେବୁ ନାହିଁ ।

ଅନ୍ୟପଟେ ଋଷରେ ଆର୍ଥିକ ସଙ୍କଟ ମୁଣ୍ଡ ଟେକିଲାଣି । ପାଶ୍ଚାତ୍ୟ ଦେଶର କଟାକଣା ବିଗାଡିଦେଇଛି ଋଷର ଆର୍ଥିକ ବ୍ୟବସ୍ଥାକୁ । ତେଣୁ ଏପରି ସ୍ଥିତିରେ ପୁତିନ ଜିନପିଙ୍ଗକୁ ସହାୟତା ମାଗୁଥିବା ଘଟଣାରେ ପ୍ରାସଙ୍ଗିକତା ରହିଥିବା କୁହାଯାଉଛି । ଅପରପକ୍ଷରେ ରୁଷ୍ ଓ ୟୁକ୍ରେନ୍ ପ୍ରତିନିଧିଙ୍କ ମଧ୍ୟରେ ପୁନର୍ବାର ବୈଠକ ବସିବାକୁ ଯାଉଛି । ଗୋଟେପଟେ ବୈଠକ ବସୁଥିବାବେଳେ ଅପରପକ୍ଷରେ ଋଷ ଆକ୍ରମଣରୁ ନିବୃତ୍ତ ରହୁନଥିବା ଅବିଯୋଗ କରିଛି ୟୁକ୍ରନ । ତେବେ ରାଜଧାନୀର ଉତ୍ତର-ପୂର୍ବସ୍ଥ ଚେର୍ଣ୍ଣିହିବଠାରେ ଥିବା ବିମାନବନ୍ଦର ଉପରେ ରୁଷ୍ ଏୟାର୍ ଷ୍ଟ୍ରାଇକ୍ କରିବା ସହ ମିକୋଲାୟିଭ ସହର ଉପରେ ଆକ୍ରମଣ କରିଛି। ଫେବୃୟାରୀ ୨୪ରୁ ଯୁଦ୍ଧ ଡାକରା ଦେଇଛି ଋଷ । ଜାତିସଂଘର ଶରଣାର୍ଥୀ ଏଜେନ୍ସି UNHCR ରିପୋର୍ଟ ମୁତାବିକ ଶନିବାର ସୁଦ୍ଧା ପ୍ରାୟ ୨.୭ ନିୟୁତ ଲୋକ ୟୁକ୍ରେନ୍ ଛାଡ଼ି ପଳାଇଲେଣି । ଉଭୟ ଦେଶର ହଜାର ହଜାର ସୈନିକ ପ୍ରାଣ ହରାଇଲେଣି । ତେବେ ଦୁଇ ଦେଶର ବିବାଦ ଭିତରେ ଚାଇନା ଏଣ୍ଟ୍ରି ପ୍ରସଙ୍ଗ କେତେ ଦୂର ପ୍ରମାଣିତ, ତାହା ଦେଖିବାକୁ ବାକି ।