ଝାଡ଼ଖଣ୍ଡ ସଙ୍କଟ: ରାଞ୍ଚିରୁ ରାୟପୁର ସିଫ୍ଟ ହେଉଛନ୍ତି ମେଣ୍ଟ ବିଧାୟକ

ରାଞ୍ଚି: ଝାଡ଼ଖଣ୍ଡ ରାଜନୈତିକ ସଙ୍କଟ ମଧ୍ୟରେ ମେଣ୍ଟ ଦଳର ବିଧାୟକମାନଙ୍କୁ ରାୟପୁର ନିଯାଉଛି । ଘୋଡ଼ା ବେପାର ଭୟରେ ମେଣ୍ଟ ଦଳ ଚିନ୍ତାରେ ଅଛନ୍ତି । ଗୋଟିଏ ପଟେ ବିଜେପି ଅପରେଶନ ଲୋଟସ୍ ଚଳାଇଥିବା ବେଳେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାୟକଙ୍କୁ ନେଇ ଏକ ହୋଟେଲକୁ ଯାଇଥିଲେ । ଘୋଡ଼ା ବେପାରକୁ ଦୃଷ୍ଟିରେ ରଖି ସନ୍ଧ୍ୟାରେ ବିଧାୟକମାନେ କଂଗ୍ରେସ ଶାସିତ ଛତିଶଗଡର ରାଜଧାନୀ ରାୟପୁର ଯିବେ ।

ରାଞ୍ଚି ବିମାନବନ୍ଦରରେ ଏଥିନେଇ ଚଳଚଞ୍ଚଳ ଦେଖାଦେଇଛି । ତିନୋଟି ଗାଡ଼ିରେ ବିଧାୟକମାନଙ୍କ ଜିନିଷ ବିମାନବନ୍ଦରରେ ପହଞ୍ଚିଛି । ସନ୍ଧ୍ୟା ସାଢ଼େ ୪ ଟା ସମୟରେ ବିଧାୟକ ରାଞ୍ଚିରୁ ରାୟପୁର ଅଭିମୁଖେ ବାହାରିବେ । ଏହା ପୂର୍ବରୁ ଅପରାହ୍ନ ସାଢ଼େ ୧୨ ଟା ସମୟରେ ସମସ୍ତ ବିଧାୟକ ଓ ମନ୍ତ୍ରୀ ଜଣେ ପରେ ଜଣେ ମୁଖ୍ୟମନ୍ତ୍ରୀ ଭବନ ପହଞ୍ଚିଥିଲେ । କୁହାଯାଉଛି ଏଠାରୁ ବସ ଜରିଆରେ ବିଧାୟକଙ୍କୁ ବିମାନବନ୍ଦର ନିଆଯିବ । ବିଧାୟକମାନଙ୍କୁ ବସ୍ ଜରିଆରେ ନୂଆ ରାୟପୁରର ମେଫେୟାର ରିସର୍ଟ ନିଆଯିବ ।

ତେବେ ସନ୍ଧ୍ୟା ସାଢ଼େ ୫ ଟା ସୁଦ୍ଧା ବିଧାୟକମାନେ ରାୟପୁରରେ ପହଞ୍ଚିବେ ବୋଲି କୁହାଯାଉଛି । ମେଫେୟାର ରିସର୍ଟରେ ୩୦ ଏବଂ ୩୧ ତାରିଖ ପାଇଁ ବୁକିଂ କରାଯାଇଛି । ତେବେ ରାୟପୁର ଯାଉଥିବା ମେଣ୍ଟ୩୨ ବିଧାୟକମାନଙ୍କ ମଧ୍ୟରେ କଂଗ୍ରେସର ୧୨, ଜେଏମଏମର ୧୯ ଏବଂ ଆରଜେଡିର ଜଣେ ବିଧାୟକ ସାମିଲ ଅଛନ୍ତି । ସୂଚନାଥାଉକି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅଫିସ୍ ଅଫ ପ୍ରଫିଟ ମାମଲାରେ ଫଶିଛନ୍ତି । ନିର୍ବାଚନ କମିଶନ ତାଙ୍କ ବିଧାୟକ ସଦସ୍ୟତା ରଦ୍ଦ କରିବା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିଛି । ଏହାପରେ ତାଙ୍କ ରାଜନୈତିକ କ୍ୟାରିଅର ଉପରେ ଖଣ୍ଡା ଝୁଲୁଥିବା ଦେଖାଯାଇଛି ।