ବିଧାନସଭାରେ ଜିଏସ୍‌ଟି ତାତି, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

1 min read

ଭୁବନେଶ୍ୱର: ବିଧାନସଭାରେ ଜିଏସ୍‌ଟି ତାତି। ଚୁଡ଼ା, ମୁଢ଼ି ଉପରେ GST ଲାଗୁ ପ୍ରସଙ୍ଗରେ କଂଗ୍ରେସ ବିଧାୟକମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଜୋରଦାର ହୋହଲ୍ଲା କରିଥିଲେ। ଏହାପରେ ଗୃହକୁ ପ୍ରଥମେ ୧୦ମିନିଟ୍ ଓ ପରେ ଅପରାହ୍ନ ୪ଟା ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି। ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ଯଦି କେନ୍ଦ୍ର ସରକାର ଏସବୁ ଉପରେ GST ଲଗାଉଛନ୍ତି, ତେବେ ରାଜ୍ୟ ସରକାର ଏହାକୁ ଓଡ଼ିଶାରେ ଲାଗୁ ନକରନ୍ତୁ।

ଶୂନକାଳରେ ମଧ୍ୟ ମୁଢ଼ି ଉପରେ ଜିଏସଟି ଲାଗୁ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଏହା ଗରିବଙ୍କ ପେଟରେ ଲାତ ବୋଲି ସେ କହିବା ସହ ଏହା ଉପରେ କମିଟି ଗଠନ ପାଇଁ ଦାବି କରିଥିଲେ। ଜିଏସଟି କମିଶନ ଓ ପ୍ରଧାନମନ୍ତ୍ରୀଙ୍କୁ କମିଟି ଭେଟୁ ବୋଲି ତାରା କହିଛନ୍ତି । ସମାନ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଚୁଡ଼ା, ମୁଢ଼ି, ଖଇ, ଦହି, କ୍ଷୀର, ବଟର ଉପରେ GST ଲାଗୁ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି । ଏହାଦ୍ୱାରା ଗରିବ ଲୋକ କ୍ଷୀର, ଦହି ଖାଇ ପାରିବେନି। ଏହା ପ୍ରତ୍ୟାହାର କରିବାକୁ ସାଲୁଜା ଦାବି କରିଛନ୍ତି।

ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ । ଏହା ଦ୍ୱରା ଗରିବ ଲୋକ ହଇରାଣ ହେବେ । ଏଥିପାଇଁ GST ପରିଷଦ ରାଜ୍ୟର ସହମତି ନେଇଛି କି ବୋଲି ସେ ପ୍ରଶ୍ନ କରିଥିଲେ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, GST ଉପରେ ରାଜ୍ୟ ସରକାର କିଛି କରିପାରିବେ ନାହିଁ। ଏହି GST କେବଳ କମ୍ପାନୀଗୁଡ଼ିକରେ ପ୍ରସ୍ତୁତ ହେଉଥିବା ପ୍ୟାକେଟ୍ ଉପରେ ଲାଗୁହେବ। ଗ୍ରାମାଞ୍ଚଳର ଖୁଚୁରା ବ୍ୟବସାୟୀ କିମ୍ବା ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡ଼ିବନି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି। ତେବେ ହଟ୍ଟଗୋଳ ଲାଗି ରହିବାରୁ ଗୃହ ଅପରାହ୍ନ ୪ଟା ଯାଏ ମୁଲତବି ରହିଛି।