RCB ମାଇଁ କୋଭିଡ୍ ହିରୋ ଭିଡିଓରେ ଓଡ଼ିଆ ପୁଅ
1 min readନୂଆଦିଲ୍ଲୀ: କରୋନା କଟକଣା ଭିତରେ ୟୁଏଇରେ ଖେଳା ଯାଉଛି ଫଟାଫଟ କ୍ରିକେଟ୍ ଆଇପିଏଲ୍ । ସଂକ୍ରମଣ ଭିତରେ ଦେଶଠୁ ଦୂରରେ ମ୍ୟାଚ୍ ଖେଳା ଯାଉଛି । କରୋନା ପାଇଁ ଅନେକଙ୍କ ଜୀବନର ଗତିରେ ଲାଗିଛି ବ୍ରେକ୍ । କିଏ ଜୀବିକା ହରାଇଛି ତ ଆଉ କିଏ ଲକ୍ଷ୍ୟ ସ୍ଥଳରୁ ନଜର ହଟାଇ ଦେଇଛି । କିନ୍ତୁ, ହାରିନାହାଁନ୍ତି ପ୍ରକୃତ ଯୋଦ୍ଧା । ସୁଦୂର ଦୁବାଇରେ ଆଇପିଏଲ୍ ଖେଳା ଯାଉଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁର ଖେଳାଳି କୋଭିଡ୍ ଯୋଦ୍ଧାଙ୍କ ମନୋବଳ ବଢ଼ାଉଛନ୍ତି ।
https://www.instagram.com/tv/CFgmEf7FhP2/?igshid=1886pi4rj13mt
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁର ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ ହୋଇଛି । ଯେଉଁଥିରେ ନଜର ଆସିଛନ୍ତି ଜଣେ ଓଡ଼ିଆ ଯୁବକ । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଥିବା ଯୁବକ ଜଣଙ୍କ ହେଉଛନ୍ତି ଓଡ଼ିଆ ପୁଅ ନୀଳାଚଳ ପରିଡ଼ା । ୨୫ ବର୍ଷୀୟ ନୀଳାଚଳ ପରିଡ଼ାଙ୍କ ଘର ଭୁବନେଶ୍ୱରରେ । ପ୍ରଶିକ୍ଷିତ ପର୍ବତାରୋହୀ ନୀଳାଚଳ ବରମୁଣ୍ଡାରେ ପରିବାର ସହ ରୁହନ୍ତି ।
ଦେଶ ପାଇଁ ସେ କିଛି କରିବାକୁ ଚାହୁଁଥିଲେ । ସେଥିପାଇଁ ସେ ଚଳିତ ଅଗଷ୍ଟ ୧୫ ତାରିଖରେ ଋଷର ଉଚ୍ଚତମ ପର୍ବତ ମାଉଣ୍ଟ ଏଲବ୍ରସ ଚଢ଼ିବାକୁ ଲକ୍ଷ୍ୟ ରଖିଥିଲେ । କିନ୍ତୁ, କରୋନା ସବୁକିଛି ବିଗାଡ଼ି ଦେଇଥିଲା । ମହାମାରୀ ପାଇଁ ପର୍ବତାରୋହଣ ଟିକେଟ୍ ବାତିଲ୍ ହୋଇ ଯାଇଥିଲା । ଲକଡାଉନ୍ ପୂର୍ବରୁ ଟ୍ୟାକ୍ସି ଚଳାଇ ଘରର ଗୁଜୁରାଣ ମେଣ୍ଟାଉଥିବା ନୀଳାଚଳ ଏଥିରେ ଭାଙ୍ଗି ପଡ଼ିନଥିଲେ । ଲକଡାଉନ ଯୋଗୁଁ ରୋଜଗାର ବନ୍ଦ ହୋଇ ଯାଇଥିଲା । ବୟସ୍କ ଲୋକ ଲକଡାଉନରେ ବଜାରକୁ ପରିବା ପାଇଁ ଯାଇ ପାରୁନଥିଲେ । ଏହାକୁ ନୀଳାଚଳ ଦେଶ ସେବା ଭାବି ଆରମ୍ଭ କରିଥିଲେ ପରିବା ଦୋକାନ ।
୨ରୁ ୩ ମାସର ଜମା ପୁଞ୍ଜି ଖଟାଇ ସେ ଆରମ୍ଭ କରିଥିଲେ ଛୋଟିଆ ପରିବା ଦୋକାନ । କମ୍ ଦାମରେ ତଟକା ପନିପରିବା ବିକ୍ରି ଆରମ୍ଭ କରିଥିଲେ । ଏଥିସହ ଅସୁସ୍ଥ ଓ ବୟସ୍କଙ୍କୁ ଘରେ ମାଗଣା ହୋମ ଡେଲିଭରି ଦେବା ଆରମ୍ଭ କରି ଦେଇଥିଲେ । ମଣ୍ଡିରୁ ପରିବା କିଣି ବିକ୍ରି କରିବା ବେଳେ ସେ କ୍ଷତିର ସମ୍ମୁଖୀନ ମଧ୍ୟ ହୋଇଥିଲେ । ତେବେ ସେଥିରେ ସେ ଭାଙ୍ଗି ପଡ଼ିନାହାଁନ୍ତି । ଆଗକୁ ଜୀବନରେ ଆହୁରି ବଡ଼ ବଡ଼ ଚ୍ୟାଲେଞ୍ଜ ଆସିବ ଏଥିରେ ଭାଙ୍ଗି ପଡ଼ିଲେ କେମିତି ହେବ ବୋଲି ସେ କହିଛନ୍ତି । ଆରସିବି ପକ୍ଷରୁ ପ୍ରସ୍ତୁତ ଏହି ଭିଡିଓରେ ଦଳର ଅଧିକାଂଶ ଥିବାବେଳେ ଟିମ୍ କ୍ୟାପେଟନ୍ ବିରାଟ କୋହଲି ମଧ୍ୟ ନୀଳାଚଳଙ୍କୁ ପ୍ରଂଶସା କରିଛନ୍ତି ।
ଏହା ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁର ଖେଳାଳି ଚ୍ରିସ୍ ମୋରିସ୍ ତାଙ୍କ ଜର୍ସିରେ ନୀଳାଚଳ ପରିଡ଼ାଙ୍କ ନାଁ ଲେଖିବା ସହ ଟ୍ୱିଟର ଆକାଉଣ୍ଟରେ ନୀଳାଚଳଙ୍କ ନାଁ ରଖିଥିଲେ ।