ପ୍ରତିଶ୍ରୁତି ଦେଇ ପ୍ରତାରଣା । ରାଉରକେଲା ଏୟାରପୋର୍ଟକୁ ଅଣଦେଖା । ବିମାନ ସେବା ବନ୍ଦ, ଯାତ୍ରୀ ହନ୍ତସନ୍ତ । ILS, NLS ଓ ମାଲିକାନା ପରିବର୍ତ୍ତନ ଦାବି । ପଦକ୍ଷେପ ନନେଲେ ନୂଆବର୍ଷରୁ ଧାରଣା ପ୍ରତିବାଦ । ରାଉରକେଲାରୁ ଭାରତର ବିଭିନ୍ନ ପ୍ରାନ୍ତକୁ ବିମାନ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା କେନ୍ଦ୍ର । ହେଲେ ବିମାନ ସେବାତ ଦୂରର କଥା ଗତ ୩ ମାସ ହେଲା କୋଲକାତା ଓ ଭୁବନେଶ୍ବରକୁ ଚାଲୁଥିବା ବିମାନ ମଧ୍ଯ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଯାହାକୁ ନେଇ ତେଜୁଛି ପ୍ରତିବାଦ । ନିୟମିତ ବିମାନ ଚଳାଚଳ, ଇନଷ୍ଟ୍ରୁମେଣ୍ଟ ଲାଣ୍ଡିଙ୍ଗ ସିଷ୍ଟମ ଓ ନାଇଟ ଲାଣ୍ଡିଙ୍ଗ ସିଷ୍ଟମ ସହ ବିମାନ ବନ୍ଦରର ମାଲିକାନା ସେଲ ଠାରୁ ଏୟାର ପୋର୍ଟ ଅଥରିଟିକୁ ଦେବା ପାଇଁ ଦାବି କରିଛି ରାଉରକେଲା ଏୟାପୋର୍ଟ ଆକସନ କମିଟି ।
ପ୍ରତିବାଦରେ ସୋମବାର ଦିନ ଏୟାରପୋର୍ଟ ଆଗରେ ପରିବା ବିକ୍ରି କରି ଅଭିନବ ପ୍ରତିବାଦ କରାଯାଇଥିଲା । ବିମାନବନ୍ଦର ଆଗରେ ଜରିପାଲ ପକାଇ ପରିବା ବିକ୍ରି କରିଥିଲେ ଆକ୍ସନ କମିଟି ସଦସ୍ଯ । ତେବେ ଆନ୍ଦୋଳନକାରୀଙ୍କୁ ଛେଣ୍ଡ ଥାନା ପୋଲିସ ଉଠାଇ ନେଇ ଛେଣ୍ଡ ଥାନାରେ ଅଟକ ରଖିଥିଲା । ତେବେ ଦାବି ପୂରଣ ନହେଲେ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଜାନୁଆରୀ ଏକ ତାରିଖ ଠାରୁ ଫେବୃଆରୀ ଏକ ତାରିଖ ଯାଏଁ ଆନ୍ଦୋଳନ କରାଯିବ ବୋଲି କମଟି ଚେତାବନୀ ଦେଇଛି । ଆନ୍ଦୋଳନରେ ବିଭିନ୍ନ ରାଜନୈତିକ ଦଳ, ଗଣ ସଂଗଠନ, ଶ୍ରମିକ ସଂଗଠନ ଓ ସହରବାସୀ ସାମିଲ ହେବେ ।

