ଜୁଆ ଖେଳ ଅଭିଯୋଗରେ ୨୫ ଦିନ ହେବ ଲକଅପରେ ବନ୍ଦ ଅଛନ୍ତି ଦୁଇ ଗଞ୍ଜା

ତେଲେଙ୍ଗାନା: ତେଲେଙ୍ଗାନାରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଦୁଇଟି ଗଞ୍ଜା ୨୫ ଦିନ ହେବ ଜୁଆ ଖେଳ ଅଭିଯୋଗରେ ଜେଲରେ କଏଦୀ ହୋଇ ରହିଛନ୍ତି । ତେଲେଙ୍ଗାନାରେ ଜୁଆଖେଳ ଅଭିଯୋଗରେ କିଛି ଦୁର୍ବୃତ୍ତଙ୍କୁ ଗିରଫ କରାଯାଇଥିଲା । ତେବେ ସେମାନେ ଜାମିନରେ ଖସିଯାଇଥିବାବେଳେ ଏହି ଗଞ୍ଜା ଦୁଇଟି ଜେଲରେ ବନ୍ଦ ହୋଇ ରହିଛନ୍ତି ।

ଏହି ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ଖମ୍ମମ ଜିଲ୍ଲାରେ । ଜିଲ୍ଲାର ମିଦିଗୋଣ୍ଡା ପୋଲିସ ଷ୍ଟେସନରେ ଦୀର୍ଘ ୨୫ ଦିନ ହେବ ଏହି ଗଞ୍ଜା ଦୁଇଟି ଲକଅପରେ ବନ୍ଦ ହୋଇ ରହିଛନ୍ତି । ପୋଲିସ ଏମାନଙ୍କୁ ଜାନୁଆରୀ ୧୦ ତାରିଖରେ ଧରି ଲକଅପରେ ବନ୍ଧ କରିଥିଲା ।

ସୂଚନା ଅନୁଯାୟୀ ସଂକ୍ରାନ୍ତି ଅବସରରେ ଗଞ୍ଜା ଲଢ଼େଇ ସହ ଜୁଆଖେଳ ମଧ୍ୟ ହେଉଥିଲା । ପୋଲିସ ଏହି ଜୁଆରୀଙ୍କ ଉପରେ ରେଡ କରିବା ସହ ୧୦ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା । ଏହାସହିତ ଦୁଇଟି ଗଞ୍ଜା ସହ ଗୋଟିଏ ମୋଟର ବାଇକ ମଧ୍ୟ ଜବତ କରିଥିଲା ।

ପରବର୍ତ୍ତୀ ସମୟରେ ସମସ୍ତ ଜୁଆରୀ ଜାମିନ ନେଇ ଖସିଯାଇଥିବାବେଳେ ଗଞ୍ଜାଙ୍କ ଉପରେ ଅଧିକାର ସାବସ୍ତ କରିବା ପାଇଁ କେହି ଆସିନଥିଲେ, ତେଣୁ ଏମାନଙ୍କୁ ଜୁଆ ମାମଲାର ପ୍ରମାଣ ଭାବରେ ଜେଲରେ ବନ୍ଦ କରିରଖାଯାଇଥିଲା ।

ଏହି ଗଞ୍ଜା ଦୁଇଟିକୁ ମାମଲାର ଶୁଣାଣି ପରେ ହିଁ ଛଡ଼ାଯାଇପାରିବ ବୋଲି ପୋଲିସ ସୂଚନା ଦେଇଛି । ଗଞ୍ଜା ମାନଙ୍କୁ ଛାଡ଼ିବାର ଆଦେଶ ଆସିବା ପରେ ଏମାନଙ୍କର ନିଲାମୀ ହେବ, ଯେଉଁ ବ୍ୟକ୍ତି ଅଧିକ ଟଙ୍କାରେ ଏମାନଙ୍କୁ କିଣିବ ତାଙ୍କୁ ଗଞ୍ଜା ଦୁଇଟି ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ  ।

Leave a Reply