ବିରାଟ ବାପା ହେବା ଦିନଠାରୁ ନୂଆ କ୍ୟାପ୍ଟେନ୍ ଖୋଜିବା ଆରମ୍ଭ କରିଥିଲା BCCI

1 min read

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳରେ ଆସନ୍ତା କିଛି ଦିନ ମଧ୍ୟରେ ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଅଧିନାୟକ ପଦ ଛାଡିବେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି । ଟି-୨୦ ବିଶ୍ୱକପ ପରେ ଟି -୨୦ ଏବଂ ODI ଦଳର ଅଧିନାୟକତ୍ୱ ଛାଡିବେ ବୋଲି ଚର୍ଚ୍ଚା ହେଉଛି । ତେବେ ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ପଦ ମିଳିପାରେ ।

ବିରାଟ କୋହଲି ତାଙ୍କ ବ୍ୟାଟିଂ ଉପରେ ଧ୍ୟାନ ଦେବା ପାଇଁ ଏହି ବଡ ପଦକ୍ଷେପ ନେବେ ବୋଲି ଚର୍ଚ୍ଚା ହେଉଛି । ୩୨ ବର୍ଷୀୟ କୋହଲି ଟିମ୍ ଇଣ୍ଡିଆର ସଫଳ ଅଧିନାୟକମାନଙ୍କ ମଧ୍ୟରୁ ଅନ୍ୟତମ । ଅଷ୍ଟ୍ରେଲିଆ ଗସ୍ତ ପରେ ବିରାଟ କୋହଲି, ରୋହିତ ଶର୍ମା ଦଳ ପରିଚାଳନା ନେଇ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ୟୁଏଇ ଏବଂ ଓମାନରେ ୧୭ ଅକ୍ଟୋବରରୁ ୧୪ ନଭେମ୍ବର ମଧ୍ୟରେ ଟି -୨୦ ବିଶ୍ୱକପ ମ୍ୟାଚ୍ ଅନୁଷ୍ଠିତ ହେବ ।

ବିରାଟ କୋହଲି ବାପା ହେବା ପରେ ବ୍ୟାଟିଂ ଉପରେ ଫୋକସ କରି ଏହି ପଦକ୍ଷେପ ନେଇପାରନ୍ତି । ସୂତ୍ରରୁ ପ୍ରକାଶ, ‘ବିରାଟ ଏ ନେଇ ନିଜେ ଘୋଷଣା କରିବେ । ସେ ବିଶ୍ୱାସ କରନ୍ତି ଯେ ତାଙ୍କ ବ୍ୟାଟିଂ ଉପରେ ଧ୍ୟାନ ଦେବା ଏବଂ ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହେବା ତାଙ୍କ ପାଇଁ ଅତି ଜରୁରୀ । ରୋହିତ ଶର୍ମା ତାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ଆଇପିଏଲ ଟାଇଟଲ ଦେଇଛନ୍ତି । ଅନ୍ୟପକ୍ଷରେ କୋହଲି ଏପର୍ଯ୍ୟନ୍ତ ଅଧିନାୟକ ଭାବରେ ଆଇସିସି ଟ୍ରଫି ଜିତି ନାହାଁନ୍ତି । ଏହା ବ୍ୟତୀତ ସେ ଆଇପିଏଲ୍ ଟାଇଟଲ୍ ମଧ୍ୟ ଜିତିପାରିନଥିଲେ । ଆସନ୍ତା ମାସରୁ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ପାଇଁ ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ତାଙ୍କୁ ଦଳର ପରାମର୍ଶଦାତା କରାଯାଇଛି । କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୨୦୧୭ ଚାମ୍ପିଅନ୍ସ ଟ୍ରଫି, ୨୦୧୯ ODI ବିଶ୍ୱକପ ଏବଂ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଖେଳିଛି । କିନ୍ତୁ ଗୋଟିଏ ହେଲେ ଟାଇଟଲ୍ ଜିତିନାହିଁ । ଏଭଳି ପରିସ୍ଥିତିରେ ଧୋନି ତାଙ୍କୁ ସାହାଯ୍ୟ କରିବା ପାଇଁ ଦଳରେ ଯୋଗ ଦେଇଛନ୍ତି ।

ଅନେକ ଦିନର ଆଲୋଚନା ପରେ ନିଷ୍ପତ୍ତି ନେଲେ କୋହଲି

ସମସ୍ତ ତିନୋଟି ଫର୍ମାଟରେ ବିରାଟ କୋହଲିଙ୍କ ଅଧିନାୟକତ୍ୱର ଭାର ରହିଛି, ବିସିସିଆଇ କ୍ରମାଗତ ଭାବରେ ତାଙ୍କ କାର୍ଯ୍ୟ ଭାର ହ୍ରାସ କରିବାକୁ ଚେଷ୍ଟା କରୁଛି । ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜ୍ ଜିତିବା ପରେ ସୀମିତ ଓଭରରେ ଅଧିନାୟକଙ୍କୁ ବଦଳାଇବା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଟିମ୍ ଇଣ୍ଡିଆ ସୂତ୍ର ଅନୁଯାୟୀ ଗତ କିଛି ମାସ ଧରି ଚାଲିଥିବା ଆଲୋଚନାରେ ବିରାଟ ତାଙ୍କ ବ୍ୟାଟିଂକୁ ନେଇ ଚିନ୍ତିତ ଥିବା ଦେଖାଯାଇଥିଲା। ଆଗାମୀ ଦୁଇ ବର୍ଷରେ ଭାରତକୁ ଟି -୨୦ ଏବଂ ODI ବିଶ୍ୱକପ୍ ଖେଳିବାକୁ ପଡ଼ିବ ଏବଂ ବିରାଟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଚାହୁଁଛନ୍ତି । ବିରାଟ ବ୍ୟାଟ୍ସମ୍ୟାନ୍ ଭାବରେ ତାଙ୍କର ପୁରୁଣା ଫର୍ମକୁ ଫେରିବାକୁ ଚାହୁଁଛନ୍ତି।

କୋହଲିଙ୍କ ବଦଳରେ ରୋହିତ ପରବର୍ତ୍ତୀ ଅଧିନାୟକ ପାଇଁ ସର୍ବୋତ୍ତମ ବିକଳ୍ପ । ୩୪ ବର୍ଷୀୟ ରୋହିତ ଶର୍ମା ବର୍ତ୍ତମାନ ପ୍ରାୟ ସମସ୍ତ ଫର୍ମାଟରେ ଭଲ ପ୍ରଦର୍ଶନ କରୁଛନ୍ତି । ସେ ଦଳରେ ୨ ନମ୍ବର ସ୍ଥାନ ଅଧିକାର କରିଛନ୍ତି, ଟି -୨୦ ରେ ଅଧିନାୟକତ୍ୱ ରେକର୍ଡ ଅତୁଳନୀୟ । ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପାଞ୍ଚ ଥର ଆଇପିଏଲ ଟ୍ରଫି ଜିତିଛନ୍ତି । ଖାଲି ସେତିକି ନୁହେଁ, ଏହି ସମୟରେ ହ୍ୱାଇଟ୍ ବଲ୍ କ୍ରିକେଟ୍ ରେ ରୋହିତ ଶର୍ମାଙ୍କ ଅପେକ୍ଷା ଦୁନିଆରେ କେହି ବି ଭଲ ଓପନିଂ ବ୍ୟାଟ୍ସମ୍ୟାନ୍ ନାହାଁନ୍ତି ।

ବିସିସିଆଇ ସୂତ୍ରରୁ ଜଣାପଡିଛି ଯେ ଅଧିନାୟକତ୍ୱର ପରିବର୍ତ୍ତନ ଖବରକୁ ଅତିରଞ୍ଜିତ କରି ଉପସ୍ଥାପନ କରାଯିବା ବିସିସିଆଇକୁ ପୂର୍ବରୁ ଜଣାଥିଲା । ବୋର୍ଡ ଏହା ପାଇଁ ବହୁ ପୂର୍ବରୁ ପ୍ରସ୍ତୁତ ହୋଇସାରିଥିଲା ।| ଏହି ପରିବର୍ତ୍ତନକୁ ନେଇ ବିରାଟ ଏବଂ ରୋହିତଙ୍କ ସମାନ ମତ ରହିଛି ବୋଲି ସୂତ୍ରରୁ ପ୍ରକାଶ ପାଇଛି ।

Leave a Reply