ବ୍ରିଟେନ ନୂଆ ପ୍ରଧାନମନ୍ତ୍ରୀ ହେବେ ଭାରତୀୟ ବଂଶୋଦ୍ଭବ !

ଲଣ୍ଡନ: ବ୍ରିଟେନରେ ରାଜନୈତିକ ଅସ୍ତିରତା । ଦଳ ଭିତରେ ବିଦ୍ରୋହ ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଦେଲେ ନିଶ୍ଚିତ । ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ସମେତ କଞ୍ଜରଭେଟିବ ପାର୍ଟିର ୪୧ ମନ୍ତ୍ରୀ ଦୁଇ ଦିନରେ ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ଆସନ ଛାଡିବାକୁ ଜନସନ ବାଧ୍ୟ ହୋଇଛନ୍ତି । ଏବେ ଋଷିଙ୍କୁ ନେଇ ପୂରା ବିଶ୍ବରେ ଚର୍ଚ୍ଚା । ତେବେ କିଏ ଏହି ଋଷି ସୁନକ ଓ ତାଙ୍କୁ ନେଇ କ’ଣ ଚର୍ଚ୍ଚା ହେଉଛି ଓ ତାଙ୍କ ଜୀବନୀକୁ ନେଇ ଆସନ୍ତୁ ଜାଣିବା ।

ଇଂଲଣ୍ଡବାସୀଙ୍କ ପ୍ରଥମ ପସନ୍ଦ ଋଷି

ଜନସନଙ୍କ ଇସ୍ଫା ପରେ କଞ୍ଜରଭେଟିବ ପାର୍ଟିରୁ କିଏ ବସିବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଦୌଡ଼ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି । ଏହାରି ଭିତରେ ଏକାଧିକ ନେତାଙ୍କ ନାଁ ଚର୍ଚ୍ଚାକୁ ଆସୁଛି । ଏମାନଙ୍କ ଭିତରେ ଋଷି ସୁନକ ପିଏମ୍ ଚୌକି ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି । ସୁନକ ଇମ୍ଫୋସିସର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ବାଇଁ । ଋଷିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ଦୌଡ଼ରେ ପେନି ମୋରଡଣ୍ଟ, ବେନ୍ ଓ୍ବାଲିସ୍, ସାଜିଦ ଜାଭେଦ,  ଲିଜ୍ ଟ୍ରୁସ୍ ଏବଂ ଡୋମିନିକ ରାବ ଅଛନ୍ତି ।

ଋଷିଙ୍କ ଜନ୍ମ

ଋଷି ସୁନକଙ୍କ ବାପାମାଆ ଭାରତୀୟ । ସେମାନେ ୬୦ ଦଶକରେ ବ୍ରିଟେନର ନାଗରିକତ୍ବ ଗ୍ରହଣ କରି ନେଇଥିଲେ । ୧୯୮୦ ମେ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ବାପା ଡକ୍ତର ଥିବା ବେଳେ ମାଆ ଔଷଧ ଦୋକାନ ଚଲାଉଥିଲେ । ତିନି ଭାଇ, ଭଉଣୀଙ୍କ ମଧ୍ୟରେ ଋଷି ବଡ଼ ।

ପାଠପଢ଼ା ଓ କ୍ୟାରିୟର

ଓ୍ବେଞ୍ଚଷ୍ଟର କଲେଜରେ ରାଜନୀତି ବିଜ୍ଞାନରେ ପାଠ ପଢ଼ିଥିଲେ ଋଷି । ଏହାପରେ ଅକ୍ସଫୋର୍ଡ ୟୁନିଭର୍ସିଟିରେ ନାମ ଲେଖାଇ ଥିଲେ । ସେଠାରେ ସେ ଫିଲୋସପି ଓ ଇକୋନମିକ୍ସ ସବଜେକ୍ଟରେ ପଢ଼ିଥିଲେ । ଷ୍ଟାନଫୋର୍ଡ ୟୁନିର୍ଭସିଟିରେ ଋଷି ଫୁଲ୍ ବ୍ରାଇଟ ଷ୍ଟୁଡେଣ୍ଟ ଥିଲେ । ଗ୍ରାଜୁଏସନ ପରେ ଋଷି ଗୋଲ୍ଡମ୍ୟାନ ସ୍କଚଙ୍କ ସହ କାମ କରିଥିଲେ । ପରେ ହେଜ ଫଣ୍ଡ ଫାର୍ମସରେ ପାର୍ଟନର ବନିଥିଲେ । ରାଜନୀତିରେ ପ୍ରବେଶ ପୂର୍ବରୁ ଋଷି ଏକ ବିଲିୟନ ପାଉଣ୍ଡର ଗ୍ଲୋବାଲ ଇନଭେଷ୍ଟମେଣ୍ଟ କମ୍ପାନୀ ସ୍ଥାପନ କରିଥିଲେ । ଏହା ବ୍ରିଟେନରେ ଛୋଟ ବ୍ୟବସାୟୀଙ୍କୁ ନିବେଶରେ ସହଯୋଗ କରୁଥିଲା ।  ଷ୍ଟାନଫୋର୍ଡ ୟୁନିର୍ଭସିଟିରେ ଏମବିଏ କରୁଥିବା ବେଳେ ଇମ୍ଫୋସିସ ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କ ସହ ଋଷିଙ୍କ ଭେଟ ହୋଇଥିଲା । ପରେ ସେ ତାଙ୍କୁ ବିବାହ କରିଥିଲେ । ଉଭୟଙ୍କୁ ଦୁଇଟି ଝିଅ ଅଛି ।

ରାଜନୀତିରେ ପ୍ରବେଶ

ୟର୍କଶରର ରିଚମଣ୍ଡରୁ ସାଂସଦ ଋଷି ୨୦୧୫ରେ ପ୍ରଥମ ଥର ସଂସଦ ପହଞ୍ଚି ଥିଲେ । ସେ ସମୟରେ ବ୍ରେକ୍ସଜିଟକୁ ସମର୍ଥନ କରିବା କାରଣରୁ ଦଳ ମଧ୍ୟରେ ତାଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଥିଲା । ବ୍ରିଟେନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଟେରିଜା ମେ’ଙ୍କ କ୍ୟାବିନେଟରେ ଋଷି କନିଷ୍ଠ ମନ୍ତ୍ରୀ ଭାବେ କାମ କରିଥିଲେ । ସବୁବେଳେ ଭଞ୍ଜରଭେଟିବ ପାର୍ଟିର ଜଣେ ଉଦୟମାନ ନେତା ଭାବେ ତାଙ୍କୁ ଗଣତି କରାଯାଉଥିଲା । ତାଙ୍କ ବ୍ୟକ୍ତିତ୍ବକୁ ଦେଖି ବ୍ରିଟେନବାସୀ ତାଙ୍କୁ ଡିଶି ଋଷି ନାଁରେ ସମ୍ବୋଧନ କରିଥାନ୍ତି ।

ଋଷିଙ୍କ ଲୋକପ୍ରିୟତା

ବୋରିସ ଜନସନଙ୍କ ସରକାରରେ ଋଷିଙ୍କ ଲୋକପ୍ରିୟତା ବହୁତ ବଢ଼ିଥିଲା । କରୋନା ମହାମାରୀ ସମୟରେ ବ୍ରିଟେନକୁ ଆର୍ଥିକ ଦୂରାବସ୍ଥାରୁ ଉଦ୍ଧାର କରିବାକୁ ସେ ପୂରା ଦମ ଲଗାଇ ଦେଇଥିଲେ । ଏହି କାରଣରୁ ସେ ସବୁ ବର୍ଗର ଲୋକଙ୍କ ପ୍ରିୟ ହୋଇପାରିଥିଲେ । ମହାମାରୀରେ ମେରୁଦଣ୍ଡ ଭାଙ୍ଗି ଯାଇଥିବା ପର୍ଯ୍ୟଟନ ଇଣ୍ଡଷ୍ଟ୍ରିକୁ ସେ ୧୦ ହଜାର କୋଟିର ପ୍ୟାକେଜ ଦେଇଥିଲେ । ଯାହା ତାଙ୍କ ଲୋକପ୍ରିୟତାକୁ ଆହୁରି ବଢାଇ ଦେଇଥିଲା ।

ଭାରତକୁ ନେଇ କ’ଣ ଭାବନ୍ତି ?

ନିକଟ ଅତୀତରେ ଋଷି ଭାରତକୁ ନେଇ ବଡ଼ କଥା କହିଥିଲେ । ତାଙ୍କ ମତରେ ଭାରତରେ ବହୁତ ସୁଯୋଗ ରହିଛି । ଭାରତ ଭବିଷ୍ୟତକୁ ନେଇ ଚିନ୍ତା କରୁଛି । ଏହାସହ ଭାରତକୁ ଦୃର୍ବଳ ନ ଭାବିବାକୁ ସେ ବ୍ରିଟେନକୁ ଚେତାଇଥିଲେ ।

ଆଗକୁ ସେ କହିଥିଲେ, ଭାରତ ଦୃଷ୍ଟିରେ ଆମକୁ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିବାକୁ ପଡ଼ିବ । ଏଥିପାଇଁ ଆମକୁ ଭାରତ ସହ ସମ୍ପର୍କରେ ସୁଧାର ଆଣିବା ଦରକାର ଓ ଏଥିପାଇଁ କାମ କରିବାର ଆବଶ୍ୟକତା ରହିଛି । ଦୁଇ ଦେଶ ମଧ୍ୟରେ ବ୍ୟବସାୟରେ ସହଭାଗିତା ହେବାର ଆବଶ୍ୟକତା ରହିଛି । ବ୍ରିଟେନ ଆସୁଥିବା ଭାରତୀୟଙ୍କ ପାଇଁ ଚାକିରି କେମିତି ସହଜ ହେବ ତା’ ଉପରେ ଆମକୁ କାମ କରିବାକୁ ପଡ଼ିବ ।