ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଛିଡା ହେବେ ଭାରତୀୟ ବଂଶୋଦ୍ଭବ, ଘୋଷଣା କରି ସମର୍ଥନ ମାଗିଲେ

1 min read

ଲଣ୍ଡନ: ବ୍ରିଟେନରେ ରାଜନୈତିକ ଅସ୍ତିରତା ମଧ୍ୟରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଛିଡା ହେବା ନେଇ ଘୋଷଣା କରିଛନ୍ତି । କନଜରଭେଟିଭ ଦଳର ଆଗାମୀ ନେତା ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ପାଇଁ ଛିଡା ହେବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି । ଏନେଇ ସେ ଟ୍ୱିଟରରେ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ରେଡି ଫର ଋଷି ନାଁରେ ଏକ ଅନଲାଇନ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ସମର୍ଥନ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଏକ ଟ୍ୱିଟ କରି ସେ କହିଛନ୍ତି, ଚାଲନ୍ତୁ ପୁନର୍ବାର ବିଶ୍ୱାସ ପ୍ରତିଷ୍ଠା କରିବା, ଅର୍ଥନୀତିକୁ ସୁଦୃଢ କରିବା ଓ ଦେଶକୁ ସଂଗଠିତ କରିବା । ସଠିକ ନିର୍ଣ୍ଣୟ ନେବା ପାଇଁ ଏହା ଉପଯୁକ୍ତ ସମୟ ।

ଋଷି କହିଛନ୍ତି ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଦେଶକୁ ମଜଭୁତ କରିବାର ସଠିକ ନିର୍ଣ୍ଣୟ ନେବାର ସମୟ ଆସିଛି । ୪୨ ବର୍ଷୀୟ ସାଂସଦ ସୁନକ ହେଉଛନ୍ତି ଇନଫୋସିସ ସହ ସଂସ୍ଥାପକ ନାରାୟଣ ମୂର୍ତ୍ତୀଙ୍କ ଜ୍ୱାଇଁ । ଋଷିଙ୍କ ପତ୍ନୀ ଅକ୍ଷିତା ଜଣେ ଲୋକପ୍ରିୟ ଡିଜାଇନର  । ଋଷିଙ୍କ ଜେଜେବାପା ପଞ୍ଜାବର ମୂଳ ବାସିନ୍ଦା ଥିଲେ । ପଞ୍ଜାବରୁ ସେମାନେ ଆଫ୍ରିକା ଚାଲିଯାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ପରିବାର ବ୍ରିଟେନ ଯାଇ ବାସ କରିଥିଲେ । ଋଷିଙ୍କର ଜନ୍ମ ମଧ୍ୟ ବ୍ରିଟେନରେ ହୋଇଥିଲା  ।

ସୂଚନା ଥାଉକି ସୁନକ ପ୍ରଥମେ ଇସ୍ତଫା ଦେଇ ପ୍ରଧାନମନ୍ତ୍ରୀ ଜନସନଙ୍କୁ ବିଦ୍ରୋହ କରିଥିଲେ । ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ସମେତ କଞ୍ଜରଭେଟିବ ପାର୍ଟିର ୪୧ ମନ୍ତ୍ରୀ ଦୁଇ ଦିନରେ ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ଆସନ ଛାଡିବାକୁ ଜନସନ ବାଧ୍ୟ ହୋଇଥିଲେ ।  ଯେପର୍ଯ୍ୟନ୍ତ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇନାହାନ୍ତି ସେପର୍ଯ୍ୟନ୍ତ ଜନସନ କେବଳ କାର୍ଯ୍ୟକାରୀ ପିଏମ ରହିବେ  । ଏବେ ଋଷିଙ୍କୁ ନେଇ ପୂରା ବିଶ୍ବରେ ଚର୍ଚ୍ଚା । ଯଦି ଋଷି ନିର୍ବାଚିତ ହୁଅନ୍ତି ତେବେ ଭାରତ ସହ ବ୍ରିଟେନର ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଭାରତୀୟ ବୁଦ୍ଧିଜୀବୀ ଆଶା ପୋଷଣ କରିଛନ୍ତି  ।