ରିଙ୍କୁଙ୍କ ପାଇଁ ଖୁସି ଖବର, ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଦଳରେ ପାଇଲେ ସ୍ଥାନ

1 min read

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ସ୍ଥାନ ପାଇନାହାନ୍ତି । ଯାହାକୁ ନେଇ ରିଙ୍କୁଙ୍କ ମନ ଦୁଃଖ ରହିଥିବା କୁହାଯାଇଥିଲା । ଅନ୍ୟପଟେ ବିସିସିଆଇ ପକ୍ଷରୁ ଆୟୋଜିତ ଦିଲ୍ଲୀପ ଟ୍ରଫିରେ ମଧ୍ୟ ସ୍ଥାନ ପାଇନଥିଲେ ରିଙ୍କୁ । ମାତ୍ର ଏବେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଲାଗି ଟିମ ଘୋଷଣା ହେବା ପରେ କିଛି ଖେଳାଳି ଇଣ୍ଡିଆ ବି’ ଟିମରୁ ସାମିଲ ହୋଇଛନ୍ତି । ଏଣୁ ବି ଟିମରେ ଖେଳିବେ ରିଙ୍କୁ । ଚୟନକର୍ତ୍ତା ଯେତେବେଳେ ତାଙ୍କୁ ଦିଲ୍ଲୀପ ଟ୍ରଫିରେ ସାମିଲ କରିନଥିଲେ ସେତେବେଳେ ବେଶ ଦୁଃଖିତ ଥିଲେ ରିଙ୍କୁ । କହିଥିଲେ କି, ମୋର ପରିଶ୍ରମର କିଛି ମୂଲ୍ୟନାହିଁ । ଏପରିକି ସେ ବିରକ୍ତ ହୋଇଯାଇଥିଲେ । ମାତ୍ର ଏବେ ଚୟନକର୍ତ୍ତା ପୁଣିଥରେ ଦଳରେ ସାମିଲ କରିବା ପରେ ଖୁସି ବ୍ୟକ୍ତ କରିଛନ୍ତି ।

ରିଙ୍କୁଙ୍କ ଜଣେ ଟି-୨୦ ଖେଳାଳିଭାବେ ସମସ୍ତେ ବେଶ ଭଲଭାବେ ଜାଣନ୍ତି । ମାତ୍ର ପ୍ରଥମ ଶ୍ରେଣୀ କ୍ରିକେଟରେ ମଧ୍ୟ ତାଙ୍କର ଭଲ ରେକର୍ଡ ରହିଛି । ପ୍ରଥମ ଶ୍ରେଣୀରେ ସେ ୪୭ଟି ମ୍ୟାଚ ଖେଳିଛନ୍ତି । ଏଥିରେ ସେ ୩୧୭୩ ରନ ସଂଗ୍ରହ କରିଛନ୍ତି । ଏଥିରେ ୭ ଶତକ ଏବଂ ୨୦ ଅର୍ଦ୍ଧଶତକ ରହିଛି । ହାରାହାରି ୫୪ରୁ ଅଧିକ ସ୍କୋର କରିଛନ୍ତି । ଏବେ ଦିଲ୍ଲୀପ ଟ୍ରଫିରେ ସେ ଖେଳିବାର ସୁଯୋଗ ପାଇଥିବାବେଳେ କେମିତି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର ।