ବାଲି ଟ୍ରାକ୍ଟର ଅଟକାଇବାରୁ ତହସିଲଦାରଙ୍କ ଅଫିସରେ ପଶି ପିଟିଲେ ଦୁର୍ବୃତ୍ତ

ଭଦ୍ରକ:  ଅଫିସରେ ମଧ୍ୟ ଆଉ ସୁରକ୍ଷିତ ନୁହନ୍ତି ସରକାରୀ କର୍ମଚାରୀ । ବାଲି ମାଫିଆଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଅତିରିକ୍ତ ତହସିଲଦାର ଓ ରାଜସ୍ୱ ନିରୀକ୍ଷିକ । ଅଫିସରେ କାମ କରୁଥିବାବେଳେ ଅତିରିକ୍ତ ତହସିଲଦାର ଶରତ ସ୍ୱାଇଁଙ୍କ ଉପରେ ୧୦ରୁ ଅଧିକ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିଲେ ।  ବିଭିନ୍ନ ମାରଣାସ୍ତ୍ରରେ ଧରି ସେମାନେ ଅଫିସ ଭିତରେ ପଶି ଆକ୍ରମଣ କରିବା ସହ ଗୁଣ୍ଡାରାଜ ଚଳାଇଥିଲେ ।

ଘଟଣାନୁଯାୟୀ, ଭଣ୍ଡାରୀପୋଖରୀ ମଂଜୁରୀରୋଡରେ ରାଜସ୍ୱ ନିରୀକ୍ଷକ ୨ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଅଟକାଇଥିଲେ । ତେବେ ଟ୍ରାକ୍ଟରରୁ ବାଲି ଢାଳି ଡ୍ରାଇଭର ଟ୍ରାକ୍ଟର ଧରି ଫେରାର ହେବାକୁ ଚେଷ୍ଟା କରିଥିଲା । ଏହାପରେ ରାଜସ୍ୱ ନିରୀକ୍ଷକ ଗାଡି ନମ୍ବର ନୋଟ୍‌ କରିବା ସହ ସେମାନଙ୍କ ମୋବାଇଲ ରଖି ପକାଇଥିଲେ ।  ଘଟଣାର ସମ୍ପର୍କରେ ସୂଚନା ପାଇବା ପରେ ଅତିରିକ୍ତ ତହସିଲଦାର ଭଣ୍ଡାରୀପୋଖରୀରେ ପହଞ୍ଚିଥିଲେ । ଏହାପରେ ରାଜସ୍ୱ ନିରୀକ୍ଷକଙ୍କ ସହ ଅଫିସରେ ବସି ଆଲୋଚନା କରୁଥିବା ବେଳେ ୧୦ରୁ ଅଧିକ ଲୋକ ହଠାତ୍‌ ପଶି ଆସି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ଅତିରିକ୍ତ ତହସିଲଦାରଙ୍କ ମୁଣ୍ଡ ଫାଟିଯାଇଥିବାବେଳେ ରାଜସ୍ୱ ନିରୀକ୍ଷକ ମଧ୍ୟ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ ।

Leave a Reply