ଆରଜି କର ମେଡିକାଲ କଲେଜ ଡାକ୍ତରୀ ଛାତ୍ରୀଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲା; ଅଭିଯୁକ୍ତ ସଞ୍ଜୟକୁ ଆଜୀବନ ଜେଲ୍
1 min readକୋଲକାତା: ଆରଜି କର ମେଡିକାଲ କଲେଜର ଜୁନିୟର ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସିଲା ଗୁରୁତ୍ବପୂର୍ଣ୍ଣ ରାୟ । କୋଲକାତା ସିଆଲଦା କୋର୍ଟ ଦେଲେ ବଡ଼ ରାୟ । ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବେ ସଞ୍ଜୟ । ଗତବର୍ଷ ଅଗଷ୍ଟ ୯ ତାରିଖରେ ଘଟିଥିଲା ଘଟଣା । ଯାହା ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା । ମୃତ ଛାତ୍ରୀଙ୍କୁ ନ୍ୟାୟ ଦେବା ଦାବିରେ ସାରା ଦେଶରେ ହୋଇଥିଲା ଡାକ୍ତରଙ୍କ ଆନ୍ଦୋଳନ । ୫୭ ଦିନର ଶୁଣାଣି ପରେ ପ୍ରକାଶ ପାଇଛି ରାୟ । ସଞ୍ଜୟଙ୍କ ବିରୋଧରେ ଲାଗିଛି ୬୪, ୬୬, ୧୦୩ ପରି ସଙ୍ଗୀନ ଦଫା । ଏହାସହ ୧୭ ଲକ୍ଷ ଟଙ୍କା ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଦୁଷ୍କର୍ମ ଓ ହତ୍ୟା ମାମଲାର ଘଟଣା କ୍ରମ
ଗତବର୍ଷ ଅଗଷ୍ଟ ୯ରେ ଘଟିଥିଲା ଏହି ଚାଞ୍ଚଲ୍ଯକର ଘଟଣା । ପରଦିନ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରିଥିଲା ପୋଲିସ । ଅଗଷ୍ଟ ୧୨ରେ ଆରଜି କର ମେଡିକାଲର ପ୍ରିନ୍ସିପାଲ ସନ୍ଦୀପ ଘୋଷ ଦେଇଥିଲେ ଇସ୍ତଫା । ଘଟଣାର ୨ ଦିନ ପରେ ଅଗଷ୍ଟ ୧୩ ତାରିଖରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କଲିକତା ହାଇକୋର୍ଟ । ଘଟଣାକୁ ନେଇ ଅଗଷ୍ଟ ୨୦ରେ ପଶ୍ଚିମବଙ୍ଗ ସରକାର ଓ ପୋଲିସକୁ ସୁପ୍ରିମକୋର୍ଟ ତୀବ୍ର ଭର୍ତ୍ସନା କରିଥିଲେ । ଆର୍ଥିକ ଅନିୟମିତତାର ତଦନ୍ତ ପାଇଁ ସିବିଆଇକୁ ହସ୍ତାନ୍ତର ଲାଗି ଅଗଷ୍ଟ ୨୩ ତାରିଖରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଘଟଣାର ତ୍ବରିତ ନ୍ୟାୟ ପାଇଁ ଅଗଷ୍ଟ ୨୭ ତାରିଖରେ ପଶ୍ଚିମବଙ୍ଗ ସଚିବାଳୟ ନବନ୍ନା ଘେରାଉ କରାଯାଇଥିଲା । ପଶ୍ଚିମବଙ୍ଗ ସରକାରକୁ ଆକ୍ଷେପ କରି ଅଗଷ୍ଟ ୨୮ରେ ବିଜେପି ପଶ୍ଚିମବଙ୍ଗ ବନ୍ଦ ଆନ୍ଦୋଳନ କରିଥିଲା । ତୀବ୍ର ଆନ୍ଦୋଳନ ପରେ ଅଗଷ୍ଟ ୨୮ ତାରିଖରେ ସନ୍ଦୀପ ଘୋଷଙ୍କୁ ସଦସ୍ଯ ପଦରୁ ସସପେଣ୍ଡ କରିଥିଲା ଆଇଏମଏ । ସସପେଣ୍ଡ ପରେ ସେପ୍ଟମ୍ବର ୨ରେ ମେଡିକାଲ କଲେଜ ଦୁର୍ନୀତି ମାମଲାରେ ସନ୍ଦୀପ ଘୋଷକୁ ଗିରଫ କରିଥିଲା ପୋଲିସ ।ଏହି ଘଟଣାକୁ ନଜରରେ ରଖି ସେପ୍ଟେମ୍ବର ୩ ତାରିଖ ବିଧାନସଭାରେ ଅପରାଜିତା ମହିଳା ଓ ଶିଶୁ ବିଲ-୨୦୨୪ ଆଗତ କରାଯାଇଥିଲା । ସେପ୍ଟେମ୍ବର ୮ରେ ଜଷ୍ଟିସ ଫର ଅଭୟା ଆହ୍ବାନରେ ବିଶ୍ବରେ ହ୍ଯୁମାନ ଚେନ ଗଠନ କରାଯାଇଥିଲା ।
ବହୁ ଦିନର ଛାତ୍ର ଆନ୍ଦୋଳନ ପରେ ସେପ୍ଟେମ୍ବର ୧୪ ତାରିଖରେ ଧାରଣାସ୍ଥଳକୁ ଆସି ଡାକ୍ତରଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଘଟଣାକୁ ଚପାଇ ଦେବା ଉଦ୍ଦେଶ୍ୟରେ ପ୍ରମାଣ ନଷ୍ଟ ଅଭିଯୋଗରେ ସେପ୍ଟେମ୍ବର ୧୪ ତାରିଖରେ ସନ୍ଦୀପ ଘୋଷକୁ ଗିରଫ କରାଯାଇଥିଲା । ସରକାରଙ୍କ ତରଫରୁ ପ୍ରତିଶ୍ରୁତି ମିଳିବା ପରେ ସେପ୍ଟେମ୍ବର ୧୯ ତାରିଖରେ ଆନ୍ଦୋଳନରୁ ଓହରିଥିଲେ ଡାକ୍ତର । ଏହି ଘଟଣାରେ ନଭେମ୍ବର ୪ରେ ସଞ୍ଜୟ ରାୟ ବିରୋଧରେ ସିବିଆଇର ଚାର୍ଜ ଫ୍ରେମ ଦାଖଲ କରିଥିଲା । ଦୁଷ୍କର୍ମ ଓ ହତ୍ୟା ମାମଲାରେ ନଭେମ୍ବର ୧୧ ତାରିଖରେ ସିଆଲଦା କୋର୍ଟରେ ମାମଲାର ବିଚାର ଆରମ୍ଭ ହୋଇଥିଲା । ସିବିଆଇ ତରଫରୁ ନଭେମ୍ବର ୨୯ ତାରିଖରେ କଲେଜର ଆର୍ଥିକ ଅନିୟମିତତାକୁ ନେଇ ୧୨୫ ପୃଷ୍ଠା ଚାର୍ଜସିଟ ଦାଖଲ କରାଯାଇଥିଲା ।