ସାନଭାଇ ପରିବାରର ୫ଜଣଙ୍କୁ ନିର୍ମମ ଭାବେ ହତ୍ୟାକଲା ବଡ଼ଭାଇ

ଚଣ୍ଡିଗଡ଼ : ଭାଇ ହନ୍ତା ସାଜିଲା ଭାଇ । ହରିୟାଣାର ଅମ୍ୱାଲା ଜିଲ୍ଲାରେ ଘଟିଛି ଏପରି ଅଭାବନୀୟ ଘଟଣା । ନିଜ ସାନଭାଇର ପରିବାରର ୫ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରିଛି ବଡ଼ ଭାଇ । ନାରାୟଣଗଡ଼ ଥାନା ଅନ୍ତର୍ଗତ ରତୋ ଗାଁର ଅବସରପ୍ରାପ୍ତ ସେନାଅଧିକାରୀ ଏପରି ନୃଶଂସ କାଣ୍ଡ କରିଛି । ସୂଚନା ଅନୁଯାୟୀ, ରବିବାର ରାତିରେ ହିଁ ସେ ଏହି ହତ୍ୟା କରିବା ପରେ ଶବଗୁଡିକୁ ଜଳାଇବାକୁ ଚେଷ୍ଟା କରିଥିଲା । ସୂଚନା ପାଇ ସ୍ଥାନୀୟ ଏସପି ରାତି ୩ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣାରେ ୨ଜଣ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପୋଲିସ ସୂଚନା ଅନୁଯାୟୀ, ରିଟାୟର୍ଡ ସେନାଧିକାରୀ ଭୁଷଣ ନିଜ ସାନଭାଇ, ଭାଉଜ, ୬ମାସର ଭଣଜା, ୫ବର୍ଷୀୟ ଭାଣିଜି ଏବଂ ନିଜ ମାଆଙ୍କୁ ଅତି ନୃଶଂସ ଭାବେ ହତ୍ୟାକରିଛି । ହତ୍ୟା ପରେ ସମସ୍ତଙ୍କୁ ନିଆଁ ଲଗାଇ ଜଳାଇବାକୁ ଚଷ୍ଟା କରିବା ସମୟରେ ବାପା ଓମ୍ ପ୍ରକାଶ ତାଙ୍କୁ ବିରୋଧ କରିଥିଲେ । କିନ୍ତୁ ସେ ବାପାଙ୍କୁ ମାରପିଟ୍ କରି ବେହୋସ କରିଦେଇଥିଲା । ଏହା ପରେ ହତ୍ୟାକାରୀ ଭାଇ ସେଠାରୁ ଫେରାର ହୋଇଯାଇଥିଲା ।

ଆହତ ବାପା ଓମ୍ ପ୍ରକାଶଙ୍କୁ ନାରାୟଣଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତକଙ୍କ ଆଉ ଜଣେ ଆହତ ଝିଅକୁ ଚଣ୍ଡିଗଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ମାନଙ୍କୁ ପୋଷ୍ଟମୋଟମ ପାଇଁ ମେଡିକାଲ ପଠାଯାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।