ମଞ୍ଚରେ ନବୀନଙ୍କ ସହ କଥା ହେଲେ ମୋଦି,ନୂଆ ମନ୍ତ୍ରିମଣ୍ଡଳ ଜଣାଇଲା ସମ୍ମାନ

ଭୁବନେଶ୍ୱର : ଓଡ଼ିଶାରେ ଗଠନ ହୋଇ ସାରିଛି ନୂଆ ସରକାର । ମୋହନ ଚରଣ ମାଝୀ ରାଜ୍ୟର ପଂଚଦଶତମ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତେ ଅନ୍ୟ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ଓ ୯ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ତେବେ ସମାରୋହରେ ଯେଉଁ ବ୍ୟକ୍ତିଙ୍କୁ ସମସ୍ତଙ୍କ ଅପେକ୍ଷା ଥିଲା ସେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ନବୀନ ପଟ୍ଟନାୟକ ଯେତେବେଳେ ଆଜି ଶପଥ ସମାରୋହରେ ଭାଗ ନେବାକୁ ମଂଚ ଉପରକୁ ଆସିଲେ ସେତେବେଳେ ମଂଚରେ ଉପସ୍ଥିତ ଥିବା ବିଜେପିର ବରିଷ୍ଠ ନେତୃବୃନ୍ଦ ଛିଡା ହୋଇ ତାଙ୍କୁ ସମ୍ମାନ ଜଣାଇଥିଲେ । ନବୀନ ଜଣ ଜଣକରି ସମସ୍ତଙ୍କୁ ଭେଟିଥିଲେ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ନବୀନଙ୍କୁ ସମ୍ମାନ ଜଣାଇ ନିଜ ଆସନରୁ ଉଠିଥିଲେ । କିଛି ସମୟ ପାଇଁ ନବୀନ ଅମିତ ଶାହ,ରାଜନାଥ ସିଂହ ଓ ନୀତିନ ଗଡ଼କରିଙ୍କ ସହିତ କଥା ହୋଇଥିଲେ ।

କଥା ହେଲେ ପ୍ରଧାନମନ୍ତ୍ରୀ
ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶପଥ ସମାରୋହରେ ନବୀନଙ୍କ ସହ କିଛି ସମୟ କଥା ହୋଇଥିଲେ । ଶପଥ ଗ୍ରହଣ ସରିବା ପରେ ନବୀନ ଓ ପ୍ରଧାନମନ୍ତ୍ରୀ କିଛି ସମୟ ଧରି କଥାବାର୍ତ୍ତା ହୋଇଥିଲେ । ଏହି ସମୟରେ ତାଙ୍କ ପାଖରେ ଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟ ନବୀନଙ୍କୁ ଦେଲେ ସମ୍ମାନ । ଶପଥ ଗ୍ରହଣ ସରିବା ପରେ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟ ଜଣଜଣକରି ନବୀନଙ୍କୁ ନମସ୍କାର କରିଥିଲେ । ନବୀନ ମଧ୍ୟ ସେମାନଙ୍କୁ ପ୍ରତି ନମସ୍କାର ଜଣାଇଥିଲେ । ରାଜନୀତିରେ ମତାନ୍ତର ଥାଇପାରେ କିନ୍ତୁ ମନାନ୍ତର ନାହିଁ,ଏହା ଆଜି ନବୀନଙ୍କ ବ୍ୟବହାରରୁ ଜଣା ପଡୁଥିଲା । ଯାହା ସବୁବେଳେ ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରିଥାଏ ।