ଦେବଗଡ଼ ଜିଲ୍ଲାବାସୀଙ୍କୁ ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ, ଜିଲ୍ଲାବାସୀଙ୍କ କଥା ମାନିଲେ ଟୋଲପ୍ଲାଜା କର୍ତ୍ତୁପକ୍ଷ

1 min read

ଦେବଗଡ଼: ପୂରଣ ହେଲା ଦାବି, ବନ୍ଦ ହେଲା ଆନ୍ଦୋଳନ । ଦେବଗଡ଼ ଜିଲ୍ଲାବାସୀଙ୍କୁ ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ । ବଡ଼କୁଦର ଟୋଲ ଗେଟରେ ଦେୟ ମୁକ୍ତ ଦାବିରେ ହୋଇଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଗତକାଲି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ, ଏନଏଚଏଆଇ କର୍ମକର୍ତ୍ତା ଓ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ବନ୍ଦ କରାଯାଇଛି ଆନ୍ଦୋଳନ । ଯାନବାହାନର କାଗଜପତ୍ର କିମ୍ବା ଆଧାର କାର୍ଡ ଦେଖାଇ ଟୋଲ ଗେଟରେ ଦେଇ ଦେୟ ମୁକ୍ତ ଭାବେ ଯାଇପାରିବେ ଜିଲ୍ଲାବାସୀ ।

ଏହାସହ ଟୋଲ ଟ୍ୟାକ୍ସ ସଂଗ୍ରହ ନ କରିବାକୁ ଆନ୍ଦୋଳନକାରୀଙ୍କ ଦାବିକୁ ଟୋଲପ୍ଲାଜା କର୍ତ୍ତୃପକ୍ଷ ମାନିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆନ୍ଦୋଳନର ନେତୃତ୍ୱ ନେଇଥିବା ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ବାଳ । ବାରକୋଟ ବ୍ଲକ ବଡ଼କୁଦର ଠାରେ ଟୋଲ ପ୍ଲାଜାରେ ଜିଲ୍ଲାର ଯାନବାହାନ ଗୁଡ଼ିକ ଉପରେ ଅତ୍ୟଧିକ ମୂଲ୍ୟର ଟୋଲ ଟ୍ୟାକ୍ସ ଆଦାୟ କରାଯାଉଥିଲା । ଟୋଲ ଟ୍ୟାକ୍ସ ସମସ୍ୟା ନେଇ କର୍ଣ୍ଣପାତ କରିନଥିଲେ ବିଜେପି ସାଂସଦ ଓ ବିଧାୟକ । ଯାହାକୁ ନେଇ ଟୋଲ ଗେଟ ନିକଟରେ ଗତକାଲିଠାରୁ ଜିଲ୍ଲା ବିଜେଡି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଆରମ୍ଭ କରିଥିଲା l