ବାରହା ଫାଶରୁ ଉଦ୍ଧାର କଲରାପତରିଆ ବାଘ ଚିକିତ୍ସା ପାଇଁ ଗଲା ନନ୍ଦନକାନନ
ଭୁବନେଶ୍ବର: ଦୀର୍ଘ ୧୦ ଘଣ୍ଟାର ରେସକ୍ଯୁ ଅପରେସନ ପରେ ବାରହା ଫାଶରୁ ମୁକୁଳିଲା କଲରାପତରିଆ । ମୁତୟନ ଥିଲେ ୧୦୦ରୁ ଅଧିକ ବନକର୍ମୀ । ସଫଳ ହୋଇଛି ଢେଙ୍କାନାଳ ମହାବିରୋଡ ଅସନବାହାଳି ଜଙ୍ଗଲରେ ଚାଲିଥିବା ବାଘ ଉଦ୍ଧାର କାର୍ଯ୍ୟ । ଟ୍ରାଙ୍କୁଲାଇଜ କରି ୫ ବର୍ଷର କଲରାପତରିଆକୁ ଉଦ୍ଧାର କରିଛି ରେସକ୍ଯୁ ଟିମ । ଭୁବନେଶ୍ଵର, କେନ୍ଦୁଝର, ଢେଙ୍କାନାଳ ଓ କପିଳାସରୁ ଆସିଥିବା ବନକର୍ମୀଙ୍କୁ ନେଇ ଗଠନ ହୋଇଥିଲା ୩ ରେସକ୍ଯୁ ଟିମ୍ । ବାଘକୁ ଉଦ୍ଧାର ପରେ ଅଧିକ ଚିକିତ୍ସା ଲାଗି ନନ୍ଦନକାନନ ସ୍ଥାନାନ୍ତର କରାଯାଇଛି । ଢେଙ୍କାନାଳ ଓ କେନ୍ଦୁଝର ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି । ଏ ସମସ୍ତ ଉଦ୍ୟମ ପରେ ମଧ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ଉଠିଛି ଅନେକ ପ୍ରଶ୍ନ । ସତର୍କତା, ସଚେତନତା ଅଭାବରୁ କେତେବେଳ ବନ୍ୟଜନ୍ତୁ ତ ଆଉ କେତେବେଳେ ବଳି ପଡୁଛି ମଣିଷ ।
ଦୀର୍ଘ ୧୦ ଘଣ୍ଟାର ଅପରେସନ। ରେସକ୍ଯୁରେ ମୁତୟନ ୧୦୦ରୁ ଅଧିକ ବନ କର୍ମଚାରୀ । ଡିଏଫଓ, ରେଞ୍ଜରଙ୍କ ସମେତ ପ୍ରମୁଖ ବନ ଅଧିକାରୀଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ବାରହା ଫାଶରୁ ମୁକୁଳିଲା କଲରାପତରିଆ ବାଘ । ଢେଙ୍କାନାଳ ମହାବିରୋଡ଼ ରେଞ୍ଜ ଅସନବାହାଳି ଅଞ୍ଚଳରେ ବାରହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ଫସି ଯାଇଥିଲା ବାଘ । ସ୍ଥାନୀୟ ଲୋକେ ଏହାଦେଖି ମହାବିରୋଡ଼ ରେଞ୍ଜକୁ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ରେସକ୍ଯୁ ଟିମ । ଭୁବନେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଅନଗୁଳ ଓ କପିଳାସରୁ ଆସିଥିବା କର୍ମୀଙ୍କୁ ନେଇ ଗଠନ ହୋଇଥିଲା ୩ ରେସକ୍ଯୁ ଟିମ । ପହଞ୍ଚିଥିଲା ସ୍ଵତନ୍ତ୍ର ଟ୍ରାଙ୍କୁଲାଇଜ୍ ଟିମ୍ । ପ୍ରଥମେ ଟ୍ରାଙ୍କୁଲାଇଜ କରି ଧରିବା ପରେ ବାଘକୁ ଫାଶରୁ ମୁକ୍ତ କରାଯାଇଥିଲା । ବାଘଟିର ସ୍ବାସ୍ଥ୍ୟାବସ୍ଥା ଟିକିଏ ଖରାପ ଥିବାରୁ ସାଲାଇନ ଦେଇଥିଲା ଉପସ୍ଥିତ ମେଡିକାଲ ଟିମ । ଅବସ୍ଥା ସାମାନ୍ୟ ହେବା ପରେ ବାଘକୁ ଅଧିକ ଚିକିତ୍ସା ଲାଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଛି ।
ବାଘ ଫସିବା ପରେ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ୩ ଜିଲ୍ଲା ଢେଙ୍କାନାଳ, ଅନଗୁଳ ଓ କେନ୍ଦୁଝର ସୀମାନ୍ତରେ ହାଇଆଲର୍ଟ ଜାରି କରାଯାଇଛି । ଜଙ୍ଗଲରେ ଶିକାରୀ ଫାଶ ଏବେ ବନ ବିଭାଗର ଚିନ୍ତା ବଢାଇଛି । ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ମଧ୍ୟ ଉଠିଛି ପ୍ରଶ୍ନ । କିଛି ଦିନ ତଳେ ଢେଙ୍କାନାଳ ଚିନ୍ତାପୋଖରୀ ନିକଟରେ ରେଳଧାରଣା ପାରି ହେଉଥିବା ବେଳେ ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟିଥିଲା । କାମାକ୍ଷାନଗର କୋଟ ଗାଁରେ ଜଣେ ଯୁବକ ଦନ୍ତା ହାବୁଡ଼ରେ ପଡି ମୃତ୍ୟୁମୁଖରେ ପଡ଼ିଥିଲେ । ବାଉଁଶପାଳ ନିକଟରେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଲୋକଙ୍କ ମୃତ୍ୟୁ ଘଟିଥିଲା । ବାରମ୍ବାର ଏହିପରି ଅଘଟଣ ଘଟୁଥିବା ବେଳେ ବାରହା ଶିକାର ଫାଶରେ ବାଘ ପଡିବା ଘଟଣା ବନ ବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଫାଶରେ ପଡି କେତେ ବେଳେ ବନ୍ୟଜନ୍ତୁଙ୍କ ଜୀବନ ଯାଉଥିବା ବେଳେ ଆଉ କେତେବେଳେ ବନ ବିଭାଗର ସତର୍କତା ଅଭାବରୁ ଯାଉଛି ମଣିଷର ଜୀବନ । ବନ ବିଭାଗ ଠୋସ୍ ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଏଭଳି ଘଟଣା ଘଟିଚାଲିଥିବା ଅଭିଯୋଗ ହେଉଛି ।