ସାରାଦେଶ ପାଳୁଛି ଗଣତନ୍ତ୍ର ଦିବସ, ଯବାନଙ୍କ ପାଦ ଶବ୍ଦରେ ଥରି ଉଠିଲା ଗାନ୍ଧୀମାର୍ଗ

ଆଜି ସାରା ଦେଶ ପାଳୁଛି ୭୧ତମ ସାଧାରଣତନ୍ତ୍ର ଦିବସ । ଏନେଇ ପଲ୍ଲୀ ଠାରୁ ଦିଲ୍ଲୀ ଉତ୍ସବ ମୁଖର ।

ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ପତାକା ଉତ୍ତୋଳନ କରାଯିବ ସହ ପରେଡ଼ ଅନୁଷ୍ଠିତ ହୋଇଛି  । ଅନୁରୂପ ଭାବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜଧାନୀ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତକା ଉତ୍ତୋଳନ କରିବା ସହ ଅନୁଷ୍ଠିତ ପରେଡ୍‌ରେ ଅଭିଭାବଦନ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ ରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଏହି ଅବସରରେ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା । ପ୍ରଦର୍ଶିତ ପ୍ରଜ୍ଞାପନ ମେଢମାନଙ୍କ ମଧ୍ୟରେ ଓଡ଼ିଶାର ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଓ ମନ୍ଦିର ସ୍ଥାନ ପାଇଥିଲା ।

ଅପରପକ୍ଷରେ ରାଜଧାନୀ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।

ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିଛନ୍ତି ।

ଏହି ଅବସରରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଅତିଥିଭାବେ ଯୋଗ ଦେଇଛନ୍ତି ।

ତେବେ ପତାକା ଉତ୍ତୋଳନ ପରେ ପରେଡ ଅଭିବାଦନ ଗ୍ରହଣ କରିଥିଲେ ରାଜ୍ୟପାଳ । ରଙ୍ଗାରଙ୍ଗ ପରେଡରେ ୪୮ଟି ଟ୍ରୁପ ସାମିଲ ହୋଇଛନ୍ତି । ତେବେ ପରେଡରେ କମାଣ୍ଡ ଦାୟିତ୍ୱ ନେଇଥିଲେ ଟ୍ରାଫିକ ଡିସିପି ସାଗରିକା ନାଥ ।

ଏଥିରେ ବିଭିନ୍ନ ସ୍କୁଲ, କଲେଜ ଛାତ୍ରଛାତ୍ରୀ, ୧୨୦ ବାଟାଲିୟନ, ସିଆରପିଏଫ, ଆରପିଏଫ୍, ରାଜ୍ୟ ପୋଲିସର ଆଇଆର ବାଟାଲିୟନ , ଅଗ୍ନିଶମ, ଓଡ୍ରାଫ, ଏନସିସି, ସୈନିକ ସ୍କୁଲ ଏହି ପାରେଡରେ ସାମିଲ ହୋଇଥିଲା ।

ଏବଂ ପରେ ଗାନ୍ଧୀମାର୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା ।

Leave a Reply