ୱେବ ପୋର୍ଟାଲ ଓ ୟୁଟ୍ୟୁବ୍ ଚ୍ୟାନେଲ୍ ଉପରେ ବର୍ଷିଲେ ପ୍ରଧାନ ବିଚାରପତି, କହିଲେ ‘ମନ ଇଛା ଚଲାଉଛନ୍ତି’
ନୂଆଦିଲ୍ଲୀ: କରୋନାର ପ୍ରଥମ ଲହର ବେଳେ ତବଲିଗି ଜମାତକୁ ନେଇ ଗଣମାଧ୍ୟମ ରିପୋର୍ଟିଂ ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଧାନ ବିଚାରପତି ଏନଭି ରମଣା କହିଛନ୍ତି, ୱେବ ପୋର୍ଟାଲ ଉପରେ କାହାର ନିୟନ୍ତ୍ରଣ ନାହିଁ । କିଛି ବି ଚଲାଉଛନ୍ତି ।
ୱେବ ପୋର୍ଟାଲ, ୟୁଟ୍ୟୁବ ଚ୍ୟାନେଲ ଓ ସୋସିଆଲ୍ ମିଡିଆରେ ପ୍ରସାରିତ ମିଥ୍ୟା ଖବରକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି କହିଛନ୍ତି, ୱେବ ପୋର୍ଟାଲ ଉପରେ କାହା ନିୟନ୍ତ୍ରଣ ନାହିଁ । ୟୁଟ୍ୟୁବରେ ଲକ୍ଷ ଲକ୍ଷ ମିଛ ଖବର ଚାଲୁଛି । ଉତ୍ତରଦାୟୀ ନଥିବାରୁ ସାଧାରଣ ଲୋକ, ବିଚାରପତି ଏବଂ ଭିନ୍ନ ଭିନ୍ନ ସଂସ୍ଥାକୁ ବଦନାମ କଲା ଭଳି ଖବର ପ୍ରସାରଣ କରୁଛନ୍ତି । ସୋସିଆଲ୍ ମିଡିଆ କମ୍ପାନୀ କେବଳ ଶକ୍ତିଶାଳୀ ଲୋକଙ୍କ କଥା ଶୁଣୁଛି । ସାଧାରଣ ଲୋକ କି ବିଚାରପତିଙ୍କ କଥା ନୁହେଁ ବୋଲି କହିଛନ୍ତି ପ୍ରଧାନ ବିଚାରପତି ।
ସେମାନେ କାହା ପାଖେ ଉତ୍ତରଦାୟୀ ନାହାଁନ୍ତି । ଅନେକଙ୍କ ବିରୋଧରେ ଅଶ୍ଲୀଳ ଭାଷାରେ ମଧ୍ୟ ଲେଖୁଛନ୍ତି । ଲୋକଙ୍କ କଥା ଛାଡ଼ନ୍ତୁ ବିଚାରପତିଙ୍କ ବାବଦରେ ବି ମନ ଇଚ୍ଛା ଲେଖୁଛନ୍ତି ବୋଲି ଖଣ୍ଡପୀଠ କହିଛନ୍ତି । ଏଥିରୁ ମୁକୁଳିବା ଲାଗି କ’ଣ ବ୍ୟବସ୍ଥା ରହିଛି ବୋଲି ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ବୈଦ୍ୟୁତିକ ଗଣମାଧ୍ୟମ ଓ ସମ୍ବାଦପତ୍ର ଲାଗି ବ୍ୟବସ୍ଥା ଥିବା ବେଳେ ୱେବ ପୋର୍ଟାଲ ଲାଗି କିଛି କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି ।
ସୋସିଆଲ୍ ମିଡିଆ ଓ ଡିଜିଟାଲ୍ ମିଡିଆ ଉପରେ ନଜର ରଖିବାକୁ ଆୟୋଗ ଗଠନ ପରେ କ’ଣ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି । ଆଡିସନାଲ ସଲିସିଟର ଜେନେରାଲ କହିଛନ୍ତି, ୱେବ ପୋର୍ଟାଲ ପାଇଁ ସରକାର ନିୟମ ତିଆରି କରିଛନ୍ତି । ଯାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି ।