ଘୋଷଣା ହେଲା JioPhone NEXT, ଦୁନିଆର ସବୁଠୁ ଶସ୍ତା ଫୋନ୍…
1 min read
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ୪୪ ତମ ଆନୁଆଲ୍ ଜେନେରାଲ୍ ମିଟିଂରେ ଗୁଗୁଲ ସହଭାଗିତାରେ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ନୂଆ ଜିଓ ଫୋନ୍ JioPhone NEXT ସ୍ମାର୍ଟଫୋନ୍ ଲଞ୍ଚ ନେଇ ଘୋଷଣା କରିଛନ୍ତି। ଏହି ଅବସରରେ ମୁକେଶ ଅମ୍ବାନୀ କହିଛନ୍ତି, ଜିଓ ହେଉଛି ବିଶ୍ୱର ସବୁଠାରୁ ଶସ୍ତା 4G ସେବା।
JioPhone NEXT ହେଉଛି ଏକ ଫିଚର ସ୍ମାର୍ଟଫୋନ୍ । ଯେଉଁଥିରେ ଗୁଗୁଲ୍ ଏବଂ ଜିଓର ଆପ୍ଲିକେସନ୍ ଗୁଡ଼ିକ ଉପଲବ୍ଧ । ଏପରିକି ପ୍ଲେ ଷ୍ଟୋର ମଧ୍ୟ ରହିଛି, ଯେଉଁଠୁ ୟୁଜର୍ସ ମାନେ ଆପ୍ ଡାଉନଲୋଡ୍ କରିପାରିବେ । JioPhone NEXT ରେ ଭଏସ୍ ଆସିଷ୍ଟାଣ୍ଟ ଏବଂ ଲାଙ୍ଗୁଏଜ୍ ଟ୍ରାନ୍ସଲେସନର ଫିଚର ମଧ୍ୟ ରହିଛି ।
ସେପ୍ଟେମ୍ବର ୧୦ ତାରିଖରୁ ବଜାରରେ ଉପଲବ୍ଧ ହେବ Jio Phone Next । କେବଳ ଭାରତରେ ନୁହେଁ ବିଶ୍ୱର ସବୁଠୁ ଶସ୍ତା ସ୍ମାର୍ଟଫୋନ୍ ଜିଓଫୋନ୍ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ମଧ୍ୟ ଭର୍ଚୁଆଲ୍ ଜରିଆରେ ଅଂଶ ଗ୍ରହଣ କରିଥିଲେ।
ଗୁଗୁଲ୍ର ସିଇଓ ସୁନ୍ଦର ପିଚାଇ ଏହି ନୂଆ ସ୍ମାର୍ଟଫୋନ ବିଷୟରେ କହିଛନ୍ତି ଯେ “ଭାରତୀୟମାନଙ୍କ ପାଇଁ ସୁଲଭ ମୂଲ୍ୟରେ ସେମାନଙ୍କ ନିଜ ଭାଷାରେ ସୂଚନା ପହଂଚାଇବା ପାଇଁ ଆମର ଲକ୍ଷ୍ୟ ସ୍ୱରୂପ ଆମେ ଭାରତୀୟମାନଙ୍କ ଆବଶ୍ୟକତା ଅନୁସାରେ ନୂଆ ଉତ୍ପାଦ ଓ ସେବା ପ୍ରସ୍ତୁତ କରିବା ସହିତ ବ୍ୟବସାୟଗୁଡିକୁ ଟେକ୍ନୋଲୋଜି ବଳରେ ସଶକ୍ତ କରିବାକୁ ଉଦ୍ୟମ କରୁଛୁ । ଏହି ଦିଗରେ ଆମର ଆଗାମୀ ପଦକ୍ଷେପ ସମୂହ ଗୁଗୁଲ୍ ଓ ଜିଓ ମିଳିତ ଭାବେ ପ୍ରସ୍ତୁତ କରିଥିବା ଏହି ନୂଆ ଓ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ସହିତ ଆରମ୍ଭ ହେବ । ଏହା ଭାରତ ଲାଗି ପ୍ରସ୍ତୁତ କରାଯାଇଛି ଏବଂ ଏହା ଲକ୍ଷ ଲକ୍ଷ ନୂଆ ଉପଭୋକ୍ତାଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବ ଯେଉଁମାନେ ପ୍ରଥମ ଥର ଲାଗି ଇଂଟରନେଟ୍ର ଅନୁଭୂତି ହାସଲ କରିବେ । ଗୁଗୁଲ୍ କ୍ଲାଉଡ୍ ଓ ଜିଓ ମଧ୍ୟରେ ଏକ ନୂଆ ୫ଜି ସହବନ୍ଧନ ଏକ ଶତ କୋଟିରୁ ଅଧିକ ଭାରତୀୟଙ୍କୁ ଇଟଂରନେଟ୍ ଦୁନିଆ ସହ ଯୋଡ଼ି ହେବାରେ ସହାୟକ ହେବ ତଥା ଭାରତର ଡିଜିଟାଲ୍କରଣର ପରବର୍ତୀ ପର୍ଯ୍ୟାୟ ପାଇଁ ମୂଳଦୁଆ ପକାଇବ ।’’
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ “ଭାରତରେ ବାସ୍ତବରେ ଡିଜିଟାଲ୍ ସଂଯୋଗୀକରଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ଜିଓ । ବିଶ୍ୱର ସବୁଠାରୁ ଉଚ୍ଚକୋଟୀର ୪ଜି ନେଟ୍ୱର୍କ ସବୁଠାରୁ ସୁଲଭ ମୂଲ୍ରରେ ପ୍ରଦାନ କରି ଜିଓ ଡାଟା ବ୍ୟବହାର କ୍ଷେତ୍ରରେ କ୍ରାନ୍ତି ଆଣିଛି ଜିଓ ଏବଂ ରିଲାଏନ୍ସ ଜିଓ ନେଟ୍ୱର୍କରେ ପ୍ରତି ମାସ ୬୩୦ କୋଟି ଜିବି ଡାଟା ବ୍ୟବହାର ହେଉଛି । ଗୁଗୁଲ୍ ଓ ଜିଓ ଟିମ୍ ମିଳିତ ଭାବରେ ଏକ ଯୁଗାନ୍ତକାରୀ ସ୍ମାର୍ଟଫୋନ୍ ପ୍ରସ୍ତୁତ କରିଛନ୍ତି, ଯାହାକୁ ଆମେ ଜିଓଫୋନ୍ ନେକ୍ସଟ୍ ବୋଲି କହୁଛୁ । ଆଣ୍ଡ୍ରଏଡ୍ ଅପରେଟିଙ୍ଗ୍ ସିଷ୍ଟମ୍ର ଏକ ବର୍ଦ୍ଧିତ ଭର୍ସନ ରହିଥିବା ଏହି ଫୋନ୍ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଉପଲବ୍ଧ ହେବା ସହିତ ଏଥିରେ ଗୁଗୁଲ୍ ଆସିଷ୍ଟାଣ୍ଟ୍, ସ୍କ୍ରିନ୍ରେ ରହିଥିବା ଲେଖାର ସ୍ୱୟଂକ୍ରିୟ ଭାଷ୍ୟ, ଭାଷା ଅନୁବାଦ, ଅଗ୍ମେଂଟେଡ୍ ରିଅଲିଟି ଫିଲ୍ଟର ସହିତ ସ୍ମାର୍ଟ କ୍ୟାମେରା ଏବଂ ଆହୁରି ଅନେକ କିଛି ଅତ୍ୟାଧୁନିକ ସୁବିଧା ରହିଛି । ବିଶ୍ୱର ଏକ ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ଓ ଦେଶର ଏକ ଟେକ୍ନୋଲୋଜି ଚାମ୍ପିଅନ୍ ମଧ୍ୟରେ ସହଭାଗିତା ବଳରେ ଏକ ଯୁଗାନ୍ତକାରୀ ଉତ୍ପାଦର ପ୍ରସ୍ତୁତି ର ଏହା ପରିଚାୟକ । ଜିଓଫୋନ୍ ନେକ୍ସଟ୍ ଆସନ୍ତା ସେପ୍ଟେମ୍ବର ୧୦, ଗଣେଷ ଚତୁର୍ଥୀରୁ ବଜାରରେ ଉପଲବ୍ଧ ହେବ ।”