ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ବିଦ୍ରୋହୀଙ୍କୁ ମନାଇବାରେ ଶିବସେନା ବିଫଳ !

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଛି  । ମହାବିକାଶ ଅଘାଡି ମେଣ୍ଟ ସରକାର ଭାଙ୍ଗିବା ନେଇ ଚର୍ଚ୍ଚା ଜୋର ଧରିଛି  । ବିଦ୍ରୋହୀ ମନ୍ତ୍ରୀ ଏକନାଥ ସିନ୍ଦେ ୨୦ରୁ ଉର୍ଦ୍ଧ୍ବ ବିଧାୟକଙ୍କୁ ନେଇ ଗୁଜୁରାଟର ସୁରୁଟର ଏକ ହୋଟେଲରେ ରହିଛନ୍ତି  । ବିଧାୟକଙ୍କ ବିଦ୍ରୋହ ପରେ ସରକାର ଭାଙ୍ଗିବା ସମ୍ଭାବନା ବଢିଯାଇଛି  ।

ଏପଟେ ଶିବସେନା ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସଙ୍କଟକୁ ନେଇ କରିଥିବା ବୈଠକରେ କେବଳ ୨୦ ବିଧାୟକ ସାମିଲ ଥିଲେ  । ୩୫ ବିଧାୟକଙ୍କ ଅନୁପସ୍ଥିତି ସରକାର ଭାଙ୍ଗିବା ଆଶଙ୍କାକୁ ବଢାଇ ଦେଇଛି  । ବିଦ୍ରୋହୀଙ୍କୁ ମନାଇବା ପାଇଁ ମିଲିନ୍ଦ ନାର୍ବେକରଙ୍କ ସହ ଜଣେ ଶିବସେନା ନେତା ସୁରଟ ହୋଟେଲ ଯାଇଥିଲେ  । ବିଦ୍ରୋହୀ ବିଧାୟକଙ୍କ ସହ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା କରିଥିଲେ । ହେଲେ କିଛି ସୁଫଳ ମିଳିନଥିଲା  । ପରେ ଖାଲି ହାତରେ ଦୁଇ ନେତା ମୁମ୍ବାଇ ଫେଆସିଥିଲା । ଆଲୋଚନା ସମୟରେ ଏକନାଥ ସିନ୍ଧେଙ୍କ ସହ ମୁଖ୍ୟମନ୍ତ୍ରୀ ଠାକରେଙ୍କୁ ଫୋନରେ କଥା କରାଇଥିଲେ  । ପ୍ରାୟ ୨୦ ମିନିଟ୍ କଥାବାର୍ତ୍ତା ଚାଲିଥିଲା  । ୩୫ ବିଧାୟକ ତାଙ୍କ ସହ ଥିବା ଦାବି କରିଥିଲେ ସିନ୍ଦେ । ଏକନାଥ ସିନ୍ଦେ ବିଜେପି ସହ ମେଣ୍ଟ ସରକାର କରିବା ପାଇଁ ସର୍ତ୍ତ ରଖିଥିଲେ  । ଠାକରେ କିନ୍ତୁ ଏହି ସର୍ତ୍ତକୁ ପ୍ରତ୍ୟାକ୍ଷାନ କରିଥିବା ବିଶେଷ ସୂତ୍ରରୁ ସୂଚନା  ।

ଏପଟେ ଶିବସେନା ନେତା ସଞ୍ଜୟ ରାଉତ ଏପରି ସ୍ଥିତି ପାଇଁ ସିଧାସଳକ ବିଜେପିକୁ ଦାୟୀ କରିଛି  । ସେ କହିଛନ୍ତି ସରକାର ଭାଙ୍ଗିବା ପାଇଁ ବିଧାୟକଙ୍କୁ ବନ୍ଧକ ରଖିଛି ବିଜେପି  । ମଧ୍ୟପ୍ରଦେଶ ଭଳି ମହାରାଷ୍ଟ୍ରରେ ଅପରେସନ ଲୋଟସ୍ ଚଳାଇଛି ବିଜେପି  । ବିଜେପି ତାର ହୀନ ରାଜନୀତିରେ ସଫଳ ହେବ ନାହିଁ ବୋଲି ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି  । କିଛି ଘଣ୍ଟା ପୂର୍ବରୁ ବିଦ୍ରୋହୀ ମନ୍ତ୍ରୀ ଏକନାଥଙ୍କୁ ମୁଖ୍ୟ ସଚେତକ ପଦରୁ ବହିସ୍କୃତ କରିଥିଲେ ମୁଖ୍ୟମନ୍ତ୍ରୀ ଠାକରେ  । ବହିସ୍କୃତ ପରେ ଏକନାଥ ଟ୍ବିଟ କରି ସଫେଇ ଦେଇଥିଲେ  । ସେ କହିଥିଲେ ଆମେ ବାଲାସାହେବ ଠାକରେଙ୍କ ସଚ୍ଚା ସୈନିକ  । ତାଙ୍କ ନୀତି ଆଦର୍ଶକୁ କେବେ ବି ଭୁଲିବୁନି  । କ୍ଷମତା ପାଇଁ ବିଶ୍ବାସଘାତ କରିବୁ ନାହିଁ  । ଶିବସେନାର ହିନ୍ଦୁତ୍ବର ମୂଳ ଧାରାକୁ ବଜାୟ ରଖିବୁ  ।

ଏପଟେ ଏନସିପି ଓ କଂଗ୍ରେସ ଦଳ ସଂକଟକୁ ନେଇ ବୈଠକ କରିଛନ୍ତି  । ସେମାନେ କହିଛନ୍ତି ଏହା ଶିବସେନାର ଆଭ୍ୟନ୍ତରୀଣ ବ୍ୟାପାର  । ମେଣ୍ଟରେ କୌଣସି ପ୍ରକାର ମତଭେଦ ନାହିଁ  । ସ୍ଥିତି ନିୟନ୍ତ୍ରଣ ପାଇଁ ଶିବସେନାର ସମସ୍ତ ପଦକ୍ଷେପ ସହ ସହମତ ବୋଲି ସୂଚନା ଦେଇଛନ୍ତି  । ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ସିନ୍ଦେ ଓ ସମର୍ଥକଙ୍କ ଉପରେ କ୍ରସ ଭୋଟିଂ ସନ୍ଦେହ ହୋଇଥିଲା । ଏହାପରେ ସିନ୍ଦେ ସମର୍ଥକଙ୍କ ସହ ବିଜେପି ଶାସିତ ଗୁଜୁରାଟ ଚାଲିଯାଇଥିଲେ  । ବିଧାନ ପରିଷଦ ନିର୍ବାଚନରେ ୧୦ ଆସନରୁ ମେଣ୍ଟ ସରକାରକୁ ୫ ଆସନରେ ବିଜୟ ମିଳିଥିବା ବେଳେ ବିଜେପିକୁ ୫ ଆସନ ମିଳିଥିଲା  ।