ଚେନ୍ନାଇକୁ ୫୦ ରନରେ ପରାସ୍ତ କଲା ଆରସିବି

ଚେନ୍ନାଇ: ଆଜି ଆଇପିଏଲରେ ଚେନ୍ନାଇ ବିପକ୍ଷରେ ୫୦ ରନରେ ବିଜୟ ହାସଲ କରିଛି ଆରସିବି । ୧୯୭ ରନର ଟାର୍ଗେଟକୁ ପିଛା କରିବାକୁ ଯାଇ ଚେନ୍ନାଇ ୮ ଓ୍ବିକେଟ ହରାଇ ୧୪୬ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ମହେନ୍ଦ୍ର ସିଂହ ଧୋନୀ ୩୦ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ । ଦଳ ପକ୍ଷରୁ ରଚିନ୍ଦ୍ର ରବିନ୍ଦ୍ର ସର୍ବାଧିକ ୪୧ ରନ୍ ସଂଗ୍ରହ କରିଥିଲେ । ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନଙ୍କ ଦୁର୍ବଳତା ଦଳର ବ୍ୟାଟିଂ ବିପର୍ଯ୍ୟର କାରଣ ସାଜିଥିଲା । ଓପନର ରାହୁଲ ତ୍ରିପାଠୀ ୫, ଅଧିନାୟକ ଋତୁରାଜ ଗାଏକ୍ବାଡ ୦ ଓ ଦୀପକ ହୁଡା ୪ ରନ୍ କରିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଆରସିବି ପକ୍ଷରୁ ଜୋସ ହାଜଲେଉଡ ସର୍ବାଧିକ ୩ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ୟଶ ଦୟାଲ ଓ ଲିଆମ ଲିଭିଂଷ୍ଟୋନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହା ପୂର୍ବରୁ ଆରସିବି ଅଧିନାୟକ ରଜତ ପାଟୀଦାରଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ୭ ଓ୍ବିକେଟ ହରାଇ ୧୯୬ ରନ୍ ସଂଗ୍ରହ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଫିଲିପ ସଲ୍ଟ ୩୨, ବିରାଟ କୋହଲି ୩୧ ରନ୍ ସଂଗ୍ରହ କରିଥିଲେ । ଟିମ୍ ଡେଭିଡ ୮ଟି ବଲରୁ ୨୨ ରନ୍ ସଂଗ୍ରହ କରିଥିବା ବେଳେ ଦେବତତ୍ତ ପାଡିକଲ ୧୪ଟି ବଲରୁ ୨୭ ରନ୍ ସଂଗ୍ରହ କରିଥିଲେ । ଦଳର ପ୍ରାରମ୍ଭିକ ବ୍ୟାଟିଂ ଭଲ ରହିବା ଫଳରେ ଦଳ ଏକ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ଚେନ୍ନାଇ ପକ୍ଷରୁ ନୁର ଅହମଦ ସର୍ବାଧିକ ୩ଟି ଓ୍ବିକେଟ ହାସଲ କରିଥିବା ବେଳେ ମାଥିଶା ପାଥିରଣା ୨ଟି, ଖଲିଲ ଅହମଦ ୨ଟି ଓ ରବିଚନ୍ଦ୍ରନ ଅଶ୍ବିନ ୧ଟି ଓ୍ବିକେଟ ଅକ୍ତିଆର କରିଥିଲେ ।