ରତ୍ନବେଦୀରୁ ଜନ୍ମବେଦୀକୁ ଚତୁର୍ଦ୍ଧା ମୁରତିଙ୍କ ଯାତ୍ରା, ମାଉସୀ ଘରେ ପୋଡ଼ ପିଠା ଖାଇ ଯିବେ ଗୁଣ୍ଡିଚା ମନ୍ଦିର

1 min read

ପୁରୀ: ଗଗନ ପବନ ଆଜି ଜଗନ୍ନାଥ ଜଗନ୍ନାଥ। ରତ୍ନବେଦୀରୁ ବଡ଼ଦାଣ୍ଡକୁ ଛୁଟି ଆସିବେ ମହାପ୍ରଭୁ। ଚନ୍ଦନ କର୍ପୁରରେ ଚହଟିବ ଚଉଦିଗ। ଘଣ୍ଟ ଘଣ୍ଟା ମୃଦଙ୍ଗ ଶବ୍ଦରେ ପ୍ରକମ୍ପିତ ହେବ ବ୍ରହ୍ମାଣ୍ଡ। କେତେତେ ନେତ୍ର ଆଜି ଛଳ ଛଳ ହୋଇ ଭିଜିବ ଅଶ୍ରୁର ଧାରରେ। ଆଖିରେ ଆଖି ମିଶାଇ ଭକ୍ତଟିଏ ବାଣ୍ଟିବ ତାର ସୁଖ ଦୁଃଖ। ଏ ହେଉଛି ରତ୍ନବେଦୀରୁ ଜନ୍ମବେଦୀକୁ ଚତୁର୍ଦ୍ଧା ମୁରତିଙ୍କର ଯାତ୍ରା। ବଡ଼ଦାଣ୍ଡରେ ବଡ଼ଠାକୁରଙ୍କୁ ବାହୁନି ବାହୁନି ତାର କଥା ଜଣାଇବ ଭକ୍ତ। ଜ୍ୱରରୁ ସୁସ୍ଥ ହେବା ପରେ ଜନ୍ମବେଦୀକୁ ବୁଲିଯିବାକୁ ବାହାରିଛନ୍ତି ମହାପ୍ରଭୁ। ଜନ୍ମବେଦିକୁ ଯିବା ପାଇଁ ତିଆରି ସରରିଛି ରଥ। ପ୍ରଭୁଙ୍କ ଯାତ୍ରା ପାଇଁ ଏବେ ଯେମିତି ନିର୍ଜୀବ ବି ଜୀବନ୍ତ ପାଲଟି ଯାଇଛନ୍ତି। ମହାପ୍ରଭୁଙ୍କ ସ୍ପର୍ଶ ପାଇଁ ରଥ ପ୍ରସ୍ତୁତ, ରଥକୁ ଆଲିଙ୍ଗନ କରିବାକୁ ପଥ ବି ପ୍ରସ୍ତୁତ। ସିଂହଦ୍ୱାର ଚକଡ଼ା‌ରେ ରଥ ଲାଗିବା ପ‌ରେ ଅଥୟ ବଡ଼ଦାଣ୍ଡ। ଇନ୍ଦ୍ର କିଛି ସମୟ ପାଇଁ ଆସି ବରଷି ଯାଇ ବଡ଼ଦାଣ୍ଡକୁ ବିଶୋଧନ କରି ଦେଇଛନ୍ତି। ପବନରେ ବି ଖେଳି ବୁଲୁଛି ଆଧ୍ୟାତ୍ମିକ ମହକ। ପ୍ରଭୁଙ୍କ ସାନିଧ୍ୟ ପାଇବା ପଇଁ ରଥ, ପଥ ସଭିଏଁ ଅପେକ୍ଷାରତ।

କରୋନା କଟକଣା ଭିତରେ ବିନା ଭକ୍ତରେ ବଡ଼ଦାଣ୍ଡକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଭାଇ ଭଉଣୀଙ୍କୁ ଧରି ଆସିବେ କଳାସାଆନ୍ତେ। ଶ୍ରୀମନ୍ଦିର ଛାଡ଼ି ନବଦିନାତ୍ମକ ଯାତ୍ରାରେ ବାହାରିବେ ଶ୍ରୀଜିଉ। ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ଜନ୍ମବେଦୀ-ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ଏଥିପାଇଁ ଭୋରରୁ ମଙ୍ଗଳ ଆଳତୀ ସରିଥିବା ବେଳେ ୫ଟା ୫ରେ ସୂର୍ଯ୍ୟପୂଜା, ୫ଟା ୧୦ରେ ବେଶ ଶେଷ, ୫ଟା ୨୦ରେ ଦ୍ବାରପାଳ ପୂଜା,  ହୋଇଛି । ୮ଟାରେ ରଥ ପ୍ରତିଷ୍ଠା ସହ ୮ଟା ୧୫ରେ ମଙ୍ଗଳାର୍ପଣ, ୮ଟା ୩୦ରେ ପହଣ୍ଡି ଆରମ୍ଭ ହୋଇ ୧୧ଟା ୩୦ ମଧ୍ୟରେ ପହଣ୍ଡି ଶେଷ ହେବ ।

୧୨ଟାରୁ ୧୨ଟା ୩୦ ମଧ୍ୟରେ ମଦନ ମୋହନ ବିଜେ ପରେ ୧୨ଟା ୩୦ରୁ ଗୋଟାଏ ମଧ୍ୟରେ ଚିତା ଲାଗି ହେବ  । ୧୨ଟା ୪୫ରୁ ୨ଟା ମଧ୍ୟରେ ଛେରା ପହଁରା କରାଯିବ  । ୨ଟାରୁ ୩ଟା ମଧ୍ୟରେ ଚାରମାଳ ଫିଟା, ଘୋଡା, ସାରଥୀ ଲାଗିବା ଶେଷ ହୋଇ ରଥ ଟଣା ଆରମ୍ଭ ହେବ । ଗତବର୍ଷ ପରି ଏବର୍ଷ ମଧ୍ୟ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ଭକ୍ତ ଶୂନ୍ୟ ରହିବ ବଡ଼ଦାଣ୍ଡ । କେବଳ ସେବାୟତମାନେ ତିନିରଥକୁ ଟାଣିବେ । ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ୭ଜଣଙ୍କୁ ନେଇ ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରିବେ ।  ଘରେ ରହି ଟିଭିରେ ଘୋଷଯାତ୍ରା ଦର୍ଶନ ପାଇଁ ସମସ୍ତଙ୍କୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି ।

Leave a Reply