ଆଜି ବାରିପଦାରେ ଗଢ଼ିବ ରଥ, ମହିଳା ଟାଣିବେ ସୁଭଦ୍ରାଙ୍କ ରଥ

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ହରି ବଳଦେବଜୀଉଙ୍କ ପୀଠରେ ଆଜି ହେବ ରଥଯାତ୍ରା । ପରମ୍ପରା ଅନୁଯାୟୀ ବାରିପଦାଠାରେ ଗତକାଲି ରଥଟଣା କାର୍ଯ୍ୟର ପ୍ରଥମ ପର୍ଯ୍ୟାୟରେ କେବଳ ଶ୍ରୀଜୀଉଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଛି । ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ଅଣାଯାଇ ରଥାରୁଢ଼ କରାଯାଇଛି । ଆଜି ରଥଟଣା ହେବ । ଏନେଇ ବାରିପଦା ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ରଥାରୁଢ଼ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଦୀର୍ଘ ବର୍ଷର ବ୍ୟବଧାନରେ ରଥରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଆବେଗ ବଢ଼ିଛି । ଗତକାଲି ମା’ ଅମ୍ବିକା ଦେବୀଙ୍କ ଦାସୀ ରଥ ପରିକ୍ରମା କରିବା ପରେ ପରେ ରଥ ପ୍ରତିଷ୍ଠା କରାଯାଇଥିଲା । ଅପରାହ୍ନରେ ଗୋଟି ପହଣ୍ଡିରେ ଶ୍ରୀଜୀଉମାନଙ୍କୁ ଅଣାଯାଇ ରଥାରୁଢ଼ କରାଯାଇଛି ।

ଆଜି ଅପରାହ୍ନ ୨ ଟା ୩୦ ମିନିଟରୁ ଦୁଇ ଦିନ ଧରି ରଥଟଣା ଚାଲିବ । ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଂଚିବା ପରେ ଦେବୀ ସୁଭଦ୍ରାଙ୍କ ରଥ ଟାଉନ ଥାନା ସମ୍ମୁଖରେ ରହିବ । ଆସନ୍ତା କାଲି ଅପରାହ୍ନରେ ଦେବୀ ସୁଭଦ୍ରାଙ୍କ ରଥ ଟଣା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ବାରିପଦାର ବଡ଼ଦାଣ୍ଡରେ ଗଢ଼ିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ନିଆରା ପରମ୍ପରା ଅନୁଯାୟୀ ଦେବୀ ସୁଭଦ୍ରାଙ୍କ ରଥ କେବଳ ମହିଳା ମାନଙ୍କ ଦ୍ଵାରା ଟଣାଯାଇଥାଏ । ଗତ ଦୁଇ ବର୍ଷ ଧରି ରଥଯାତ୍ରା କାର୍ଯ୍ୟକ୍ରମ କୋଭିଡ କଟକଣା ଯୋଗୁଁ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି ବାରିପଦାର ବଡ଼ ଦାଣ୍ଡରେ । ସେଥିପାଇଁ ଆବଶ୍ୟକ ସଂଖ୍ୟକ ପୋଲିସ ମୁତୟନ କରାଯାଇ ଟ୍ରାଫିକ ନିୟନ୍ତ୍ରଣ ଉପରେ ନଜର ରଖାଯାଇଛି ।