ବଡ଼ଦାଣ୍ଡରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିଲେ ନୀଳମାଧବ

ପୁରୀ: ସରିଲା ବିଶ୍ବ ପ୍ରସୁଦ୍ଧ ରଥଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ । ଗୋଟି ପହଣ୍ଡିରେ ନୀଳକନ୍ଦରକୁ ଫେରିଛନ୍ତି ତିନି ଠାକୁର । ଶ୍ରୀଜିଉଙ୍କ ଏହି ଅଦ୍ଭୁତ ଲୀଳା ଦେଖିବାକୁ ପୁରୀରେ ହୋଇଥିଲା ଲକ୍ଷାଧିକ ଭକ୍ତଙ୍କ ସମାଗମ ।

ରଥ ଉପରେ ସମସ୍ତ ନୀତିକାନ୍ତି ସରିବା ପରେ ଆରମ୍ଭ ହୋଇଥିଲା ନୀଳାଦ୍ରି ବିଜେ ପ୍ରସ୍ତୁତି । ପ୍ରଥମେ ରାମକୃଷ୍ଣ ପହଣ୍ଡିରେ ଶ୍ରୀମନ୍ଦିରକୁ ଯାଇଥିଲେ । ଏହାପରେ ମଦନ, ମୋହନଙ୍କ ପହଣ୍ଡି ହୋଇଥିଲା ।

ପରେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ସୁଦର୍ଶନଙ୍କ ପହଣ୍ଡି ପୂର୍ବରୁ ବଡ଼ଦାଣ୍ଡରେ ବନଟି ଖେଲ ହୋଇଥିଲା । ଏହାପରେ ଦେବୀ ସୁଭଦ୍ରାଙ୍କ ରଥ ଦର୍ପ ଦଳନ ରଥରୁ ଶୂନ୍ୟ ପହଣ୍ଡିରେ ଚକ୍ରରାଜ ଶ୍ରୀମନ୍ଦିରକୁ ଯାଇଥିଲେ ।

ସୁଦର୍ଶନଙ୍କ ପହଣ୍ଡି ପରେ ଆରମ୍ଭ ହୋଇଥିଲା ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି । ତାଳଧ୍ବଜ ରଥରୁ ଓହ୍ଲାଇ ଆସି ଗୋଟି ପହଣ୍ଡିରେ ମହାବାହୁ ନୀଳ କନ୍ଦରକୁ ପ୍ରବେଶ କରିଥିଲେ ।

ବଡ଼ଭାଇ ଯିବା ପରେ ତାଙ୍କ ପଛେ ପଛେ ଦେବୀ ସୁଭଦ୍ରା ଦର୍ପ ଦଳନ ରଥରୁ ଓହ୍ଲାଇ ଆସିଥିଲେ । ସେବାୟତମାନେ ମାଆଙ୍କୁ ଶ୍ରୀମନ୍ଦିରକୁ ପହଣ୍ଡିରେ ବିଜେ କରାଇଥିଲେ ।

ପରେ ମହାପ୍ରଭୁ ଜଗନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଟାହିଆ ପିନ୍ଧି ଚାରମାଳ ପାଖକୁ ଆସିବା ପରେ ଅଓକି ଥିଲେ । ସେପଟେ ସିଂହଦ୍ବାର ପାଖକୁ ଆସିଥିଲେ ମହାଲକ୍ଷ୍ମୀ । ଆଖିରେ ଆଖିରେ ଉଭୟଙ୍କ ମିଳନ ଘଟିଥିଲା । ଅଭିମାନିନୀ ମାତା ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମନାଇଥିଲେ ମହାପ୍ରଭୁ । ଏହାପରେ ମାତା ଲକ୍ଷ୍ମୀ ସିଂହଦ୍ବାର ଖୋଲିଥିଲେ ଓ ମହାପ୍ରଭୁ ନୀଳାଦ୍ରି ବିଜେ କରିଥିଲେ ।