ବିଧାନସଭାରେ ରଥଯାତ୍ରା ମହାବିଭ୍ରାଟକୁ ନେଇ ଝଡ଼, ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର: ଚଳିତ ରଥଯାତ୍ରାରେ ବିଭ୍ରାଟ ନୁହେଁ, ମହାବିଭ୍ରାଟ ହୋଇଛି । ରଥଯାତ୍ରା ଇତିହାସରେ ଯାହା ଘଟି ନଥିଲା ତାହା ଦେଖିବାକୁ ମିଳିଲା । ବଡ଼ ଠାକୁର ପଡ଼ିଗଲେ, ଭକ୍ତଙ୍କ ଉପରେ ଲାଠିମାଡ଼, ଅଣ ସେବାୟତ ରଥରେ ବସିଲେ ଓ ଦଳାଚକଟାରେ ଜଣେ ଭକ୍ତଙ୍କ ମୃତ୍ୟୁ ହେଲା । ଏଥର ପୁରୀ ରଥଯାତ୍ରାରେ ‘ନୀତି ମହାବିଭ୍ରାଟ: ସରକାର ନୀରବ ଦ୍ରଷ୍ଟା’ ଶୀର୍ଷକ ମୁଲତବୀ ଆଲୋଚନାରେ ସରଗରମ ହୋଇଛି ଗୃହ । ବିରୋଧୀ ବିଜେଡି ଓ କଂଗ୍ରେସ ଏ ପ୍ରସଙ୍ଗକୁ ନେଇ ଗୃହରେ ସରକାରଙ୍କୁ ଘେରିବା ସହ ଆଗକୁ ଯେପରି ଏ ଘଟଣାର ପୂନରାବୃତ୍ତି ନହେବ ସେ ନେଇ ସଚେତନ କରିଛନ୍ତି । ଯାହାର ଜବାବ ଦେଇଛନ୍ତି ଆଇନମନ୍ତ୍ରୀ ପୃ୍ଥୀରାଜ ହରିଚନ୍ଦନ ।

ରଥଯାତ୍ରାରେ ମହାବିଭ୍ରାଟକୁ ନେଇ ବିଧାନସଭାରେ ଝଡ଼ । ନୀତିକାନ୍ତି ବିଳମ୍ବ, ବଡ଼ ଠାକୁର ଚାରମାଳରେ ଅଧଘଣ୍ଟା ରହିଲେ ଓ ତଳେ ପଡିଲେ, ରଥ ଉପରେ ଅଣସେବାୟତ ଚଢିବା, ନୀତିକାନ୍ତି ଦେଖିବା ପାଇଁ କେହି ଦାୟିତ୍ବରେ ନରହିବା । ପୁଣି ରଥଯାତ୍ରାରେ ଭକ୍ତଙ୍କ ଉପରେ ପୋଲିସର ଲାଠିଚାର୍ଜ, ପେଲାଠେଲାରେ ଜଣେ ଭକ୍ତଙ୍କ ମୃତ୍ୟୁ ଓ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା । ବିଧାନସଭାରେ କଂଗ୍ରେସ ପକ୍ଷରୁ ଆଗତ ମୁଲତବି ପ୍ରସ୍ତାବ ଆଲୋଚନା ବେଳେ ସରଗରମ ହୋଇଛି ଗୃହ । କଂଗ୍ରେସ ବିଧାୟକ ଦଳ ନେତା ଅଭିଯୋଗ କରିଛନ୍ତି ଯେ, ରଥଯାତ୍ରା ସଫଳ ହୋଇନାହିଁ । ବରଂ ମହାବିଭ୍ରାଟ ସହ ବଡ଼ ଅଘଟଣ ଘଟିଛି । ବଳଭଦ୍ର ମୁହଁମାଡ଼ି ତଳେ ପଡିଲେ, ଯାହା ବିଶ୍ବବାସୀଙ୍କୁ ବ୍ୟଥିତ କରିଛି । ଯାହାକୁ ନେଇ ଜଣକ ପରେ ଜଣେ ବିରୋଧୀ ବିଧାୟକ ସରକାରଙ୍କୁ ଘେରିଥିଲେ । କଂଗ୍ରେସ ଅଭିଯୋଗ କରିଛି, ବର୍ତ୍ତମାନର ସରକାର ଭଗବାନଙ୍କ ନାମ ନେଇ ଆସିଛନ୍ତି । ଆଉ ମହାବିଭ୍ରାଟ ପରେ କହୁଛନ୍ତି ଅଭିଯୋଗ ନିରାଧାର । ବିଭ୍ରାଟ କିଛି ହୋଇନି । ସମସ୍ୟା ଲୁଚାଇବା ଦୁଃଖ ଓ ପରିତାପର ବିଷୟ ।  ବଡ଼ ଠାକୁର ପଡ଼ିଯିବା ସରକାରଙ୍କ ପାଇଁ ସତର୍କ ଘଣ୍ଟି ବୋଲି ଦଳ ଅଭିଯୋଗ କରିଛି ।

ସେହିପରି ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ଘଟଣା ଘଟିବା ଦିନ ପ୍ରଶାସକ କି ମନ୍ତ୍ରୀ ନଥିଲେ । ଘଟଣା ଘଟିବା ପରେ ରାତି ୧୦ଟାରେ ଆଇନ ମନ୍ତ୍ରୀ ପହଞ୍ଚିଲେ । ଏହି ଘଟଣା ପରେ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ କହିଲେ, ଏହା ଛୋଟ ଘଟଣା ଓ ପ୍ରଭୁଙ୍କ ଲୀଳା । ଏହା କହିବା ଓଡ଼ିଶାବାସୀ ଓ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି ।  ରଥଯାତ୍ରା ଦେଖି ଲାଗୁଥିଲା ବିଜେପି ଦଳର ରଥଯାତ୍ରା ବୋଲି । ଘଟଣାକୁ ହାଲୁକା ଭାବେ ସରକାର ନେଇଛନ୍ତି ।

ଅନ୍ୟପଟେ ମୁଲତବି ପ୍ରସ୍ତାବରେ ଆଇନ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡିର ବରିଷ୍ଠ ବିଧାୟକମାନେ । ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ଆଇନ ମନ୍ତ୍ରୀ ଗୃହରେ କହିଲେ ରଥଯାତ୍ରା ସମୟରେ କିଛି ନୀତି ବିଭ୍ରାଟ ହୋଇନି । ତା’ହେଲେ ଗଣମାଧ୍ୟମ ଯାହା ଦେଖାଇଲା କ’ଣ ମିଛ ? ମହାପ୍ରଭୁ ବଳଭଦ୍ର ପହଣ୍ଡି ସମୟରେ ମୁହଁ ମାଡି ପଡିବା କ’ଣ ମିଛ ? ରଥ ପାଖରେ ଦଳାଚକଟା ହୋଇ ଜଣେ ପ୍ରାଣ ହରାଇବା କ’ଣ ମିଛ ? ଅଣସେବାୟତଙ୍କ ହାତ ଟାଣି ରଥରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବାହାର କରିବା କ’ଣ ମିଛ ? ଆଇନମନ୍ତ୍ରୀ ସତ ନ ମାନିବାରୁ ମୁଲତବି ଆଲୋଚନା ସମୟରେ କକ୍ଷତ୍ୟାଗ କଲୁ ବୋଲି କହିଛି ବିଜେଡି । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଯେଉଁମାନେ କୌଣସି କଥା ମାନିବେ ନାହିଁ, ସେ ସରକାରଙ୍କୁ କେହି ସହଯୋଗ କରିବେନି । ବିରୋଧୀଙ୍କ ଅଭିଯୋଗ ନିରାଧାର ବୋଲି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି ।

ନୂଆ ସରକାରଙ୍କ ନୀତି ଓ ନିଷ୍ପତ୍ତିରେ କିଭଳି ଭାବରେ ସୁଧାର ଆସିବ ସେ ନେଇ ବିଜେଡି ଓ କଂଗ୍ରେସ ସରକାରଙ୍କୁ ବହୁ ପରାମର୍ଶ ଦେଇଛି । ଯାହାକୁ ନେଇ ବିଧାନସଭାରେ ସରଗରମ ହୋଇଛି ।