ରାଜଧାନୀରେ ବାର୍ଥ ଡେ ପାର୍ଟିରେ ଗଣଦୁଷ୍କର୍ମ, ୩ ଜଣଙ୍କୁ ଗିରଫ କଲା ମଞ୍ଚେଶ୍ବର ପୋଲିସ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ବାର୍ଥ ଡେ ପାର୍ଟିରେ କୋଳାହଳକୁ ବାରଣ କରିବାରୁ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ମଞ୍ଚେଶ୍ବର ଥାନାରେ ଏତଲା ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଆଇପିସି ଦଫା ୨୯୪, ୩୨୩, ୩୫୪ (ଏ), ୪୪୮, ୩୭୬, ୫୧୧, ୫୦୬ ଓ ୩୪ ମାମଲା ରୁଜୁ ହୋଇଛି । ଅନ୍ୟ ୮ ଜଣ ସହଯୋଗୀଙ୍କୁ ଖୋଜୁଛି ପୋଲିସ । ଗିରଫ ୩ ଅଭିଯୁକ୍ତ ହେଲେ ଦେବାଶିଷ ପ୍ରଧାନ ଓରଫ ମାଲିଙ୍ଗା, ଦୀପକ ସେଠୀ ଓ ସ୍ବାଧୀନ ନାୟକ ଓରଫ ସାନୁ ।

ସୂଚନା ଅନୁସାରେ, ଗତ ୧୧ ତାରିଖରେ ମଞ୍ଚେଶ୍ବର ଥାନା ଧିରକୁଟି ବସ୍ତିରେ ଅଭିଯୁକ୍ତ ଦୀପକ ଏକ ବାର୍ଥ ଡେ ପାର୍ଟିର ଆୟୋଜନ କରିଥିଲା । ପ୍ରାୟ ୧୦ ସାଙ୍ଗଙ୍କୁ ନେଇ ନିଶାରେ ଚୁର୍ ହେବା ସହ ଲାଉଡ ମ୍ୟୁଜିକ୍ ବଜାଇ ହୋହଲ୍ଲା କରୁଥିଲେ । ଏହି ସମୟରେ ପୀଡ଼ିତା ମହିଳା ସେମାନଙ୍କୁ ହୋହଲ୍ଲା ନକରିବାକୁ କହିଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ୩ ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀ ମହିଳାଙ୍କୁ ଘର ଭିତରକୁ ଟାଣି ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ପାଟି ଶୁଣି ପଡ଼ୋଶୀ ଅଭିଯୁକ୍ତ କବଳରୁ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ । ଏନେଇ ଥାନାରେ ଏତଲା ଦେଇଛନ୍ତି ପୀଡ଼ିତା । ଏହାସହ ଅନ୍ୟ ସହଯୋଗୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି ।