ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ପରେ ମେଡିକାଲରେ ଭର୍ତ୍ତି ହେଲେ ଶିବମୂର୍ତ୍ତି

1 min read

ବେଙ୍ଗାଲୁରୁ: ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା । ମୁରଗା ରାଜେନ୍ଦ୍ର ବିଦ୍ୟାପୀଠ ମଠର ଲିଙ୍ଗାୟତ ମଠାଧୀଶ ଶିବମୂର୍ତ୍ତି ମୁରୁଗା ସାରାନାରୁ  ଗିରଫ ପରେ ମେଡିକାଲରେ ଭର୍ତ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କୁ ଚିତ୍ରଦୁର୍ଗା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ICU ଓ୍ବାର୍ଡରେ ଭର୍ତ୍ତି କରାଯାଇଛି । ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଲେ କୋର୍ଟ ଚାଲାଣ କରାଯିବ । ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ରଶ୍ମୀଙ୍କୁ ଗିରଫ କରାଯାଇଛି ବୋଲି ଚିତ୍ରଦୁର୍ଗା ଏସପି ସୂଚନା ଦେଇଛନ୍ତି । ଲିଙ୍ଗାୟତ ମଠର ମଠାଧୀଶ ଶିବମୂର୍ତ୍ତି ଦୁଇ ଜଣ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ମହୀଶୂର ସିଟି ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଏସସି ଓ ଏସଟି ଆଇନ ଏବଂ ପୋକସୋ ଆଇନ ବଳରେ ତାଙ୍କୁ ଗିରଫ କରାଯାଇଛି ।

ଏହି ମାମଲାରେ ଶିବମୂର୍ତ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଫ୍ରିଡମ୍ ପାର୍କଠାରେ ଦଳିତ ମହିଳା ଓ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଶିବମୂର୍ତ୍ତି ଦୁଇ ନାବାଳିକାଙ୍କୁ ମଠ ଦ୍ବାରା ପରିଚାଳିତ ଆଶ୍ରମରେ ସାଢ଼େ ୩ ବର୍ଷ ଧରି ଯୌନ ଶୋଷଣ କରିଥିଲେ ବୋଲି ଅଭିଯୋଗ ରହିଛି । ଗତ ଜୁଲାଇ ୨୪ରେ ଦୁଇ ନାବାଳିକା ଛାତ୍ରୀ ନିବାସ ପରିତ୍ୟାଗ କରିଥିଲେ ଏବଂ ପରଦିନ ସେମାନେ କଟୋନପେଟ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ୨୬ତାରିଖରେ ନଜରାବାଦ ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ ହୋଇଥିଲା ।